Categories: ଫୁରସତ

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ ହୋଇଥିବାରୁ ଏହି ସବୁ ଭିଡିଓ ଅଳ୍ପ କିଛି ସମୟ ମଧ୍ୟରେ ଇଣ୍ଟରନେଟରେ ଭାଇରାଲ ହେବାକୁ ଲାଗିଥାଏ। ନିକଟରେ ବିମାନ ମଧ୍ୟରେ ଲଢ଼େଇର ପୁଣି ଏକ ମାମଲା ସାମ୍‌ନାକୁ ଆସିଛି। ଭିଡିଓଟି ‘ଇଭିଏ ଏୟାରୱେଜ୍‌’ର ଏକ ବିମାନର ହୋଇଥିବାବେଳେ ଏହା ତାଇୱାନର ତାଇପେଇଠାରୁ ଆମେରିକାର କାଲିଫର୍ନିଆ ପ୍ରଦେଶର ସାନ ଫ୍ରାନ୍ସିସ୍କୋକୁ ଯାଉଥିଲା। ବିମାନଟି ମଝି ଆକାଶରେ ଉଡୁଥିବାବେଳେ ୨ ଜଣ ଯାତ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ଦେଖାଦେଇଥିଲା।
ଦୀର୍ଘ ସାଢ଼େ ୧୧ ଘଣ୍ଟାର ଯାତ୍ରା କରି ଇଭିଏ ଏୟାର ବିମାନ ‘ବିଆର୍‌ ୦୮’ ସାନ୍‌ ଫ୍ରାନ୍ସିସ୍କୋରେ ପହଞ୍ଚିଥିଲା। ତେବେ ତାଇପେଇ ଛାଡିବାର କିଛି ଘଣ୍ଟା ମଧ୍ୟରେ ଏହି ବିମାନରେ ୨ ଯାତ୍ରୀଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଓ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଚାହୁଁ ଚାହୁଁ ଉଭୟ ଯାତ୍ରୀ ଚଳନ୍ତା ବିମାନ ମଧ୍ୟରେ ମାରପିଟ ଓ ଠେଲାପେଲା ଆରମ୍ଭ କରିଦେଇଥିଲେ। ବିମାନରେ ଥିବା କ୍ରିଉ ସଦସ୍ୟ ଉଭୟଙ୍କୁ ଶାନ୍ତ କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରି ବିଫଳ ହୋଇଥିଲେ। ଉକ୍ତ ବିମାନ ସାନ୍‌ ଫ୍ରାନ୍ସିସ୍କୋ ବିମାନବନ୍ଦରରେ ଅବତରଣ କରିବା ପରେ କ୍ରିଉ ସଦସ୍ୟଙ୍କ ଅଭିଯୋଗ ଆଧାରରେ ଚଳନ୍ତା ବିମାନରେ ମାରପିଟ ଲାଗିଥିବା ୨ ବ୍ୟକ୍ତିଙ୍କୁ ସାନ୍‌ ଫ୍ରାନ୍ସିସ୍କୋ ପୋଲିସ ଗିରଫ କରିଛି।
ଅନୁଯାୟୀ, ବିମାନ ମଧ୍ୟରେ ଏକ ଖାଲି ପଡ଼ିଥିବା ସିଟ୍‌ରେ ବସିବାକୁ ନେଇ ଏହି ମାରପିଟ ଆରମ୍ଭ ହୋଇଥିଲା। ଏହି ବିମାନରେ ଜଣେ ଯାତ୍ରୀ କାଶୁଥିବାରୁ ତାଙ୍କ ନିକଟରେ ବସିଥିବା ଯାତ୍ରୀ ଅସୁବିଧା ଭୋଗ କରି ସିଟ୍‌ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ସେ କିଛି ଦୂରରେ ଖାଲି ପଡ଼ିଥିବା ଅନ୍ୟ ଏକ ସିଟ୍‌ରେ ଯାଇ ବସିପଡ଼ିଥିଲେ। ତେବେ ସମ୍ପୃକ୍ତ ସିଟ୍‌ରେ ପୂର୍ବରୁ ବସିଥିବା ବ୍ୟକ୍ତି ଯେତେବେଳେ ଫେରିଲେ, ନିଜ ଆସନରେ ଅନ୍ୟ ଜଣଙ୍କୁ ବସିଥିବାର ଦେଖି ଉତ୍ତେଜିତ ହୋଇ ପଡ଼ିଲେ। ପରେ ଉଭୟ ଯାତ୍ରୀ ପରସ୍ପର ବିରୋଧରେ ଆକ୍ଷେପ କରି ଝଗଡ଼ା ଆରମ୍ଭ କରିଥିଲେ, ଯାହା ଉଗ୍ରରୂପ ଧାରଣ କରିଥିଲା।

Share