ବାରିପଦା ଅଫିସ,୩ା୨: ମୟୂରଭଞ୍ଜ ଜିଲା କରଞ୍ଜିଆ ସହରର ବାମନାଶାଳ ନିକଟସ୍ଥ ଗ୍ରୀଡ଼ ସବ୍ ଷ୍ଟେଶନ ସମ୍ମୁଖରେ ଶୁକ୍ରବାର ବାଲି ବୋଝେଇ ହାଇଓ୍ବା ସହ ‘କଲ୍ୟାଣୀ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଥିବା ବେଳେ ୧୫ରୁ ଊଦ୍ଧର୍ବ ଆହତ ହୋଇଥିବା ଜଣାଯାଇଛି। ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସୂଚନାଯୋଗ୍ୟ, କଲ୍ୟାଣୀ ନାମକ ଘରୋଇ ବସ୍ଟି ଆଜି କରଞ୍ଜିଆ ବ୍ଲକ ହାତୀବାରିଠାରୁ କରଞ୍ଜିଆ ସହର ଅଭିମୁଖେ ଆସୁଥିବା ବେଳେ ଏକ ବାଲି ବୋଝେଇ ହାଇଓ୍ବା ଓଡି ୧୬ ଏ ୦୭୯୦କୁ ପଛପଟୁ ଧକ୍କା ଦେଇଥିଲା। ଖବର ପାଇ ୩ଟି ୧୦୮ ଆମ୍ବୁଲାନ୍ସ ସହିତ ପୋଲିସ ମଧ୍ୟ ନିଜ ଗାଡ଼ିରେ ସମସ୍ତ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଛି। ଦୁର୍ଘଟଣାରେ ବହୁ ସଂଖ୍ୟକ ସ୍ଥାନୀୟ ମହିଳା ଥିବା ଜଣାଯାଇଛି। ଅନ୍ୟପଟେ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି।