ଭତ୍ତା ପାଇଁ ଗଞ୍ଜାମ ଏନ୍‌ଏସି ଗେଟ୍‌ ସମ୍ମୁଖରେ ହୋ-ହଲ୍ଲା

ଗଞ୍ଜାମ,୨୪।୮(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ବିଭିନ୍ନ ଭତ୍ତା ଏନ୍‌ଏସି ଅଞ୍ଚଳଗୁଡିକରେ ବଣ୍ଟନ ସରିଥିବା ବେଳେ ଗଞ୍ଜାମ ଏନ୍‌ଏସିରେ ତା’ର ବ୍ୟତିକ୍ରମ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିସହ ହିତାଧିକାରୀମାନେ ଏନ୍‌ଏସି ଗେଟ୍‌ ସମ୍ମୁଖରେ ସୋମବାର ପ୍ରତିବାଦ ଜଣାଇ ଧାରଣା ଦେଇଥିଲେ l ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ବୁଝି ନ ଥିଲେ l ଏଥିସହ ଉତ୍ତ୍ୟକ୍ତ ଲୋକ ଦାସଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ଯିବାକୁ ଦେଇ ନ ଥିଲେ l ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା l ସ୍ଥାନୀୟ ସାମାଜିକ କର୍ମୀ ତଥା ବଡ଼ ବଜାର ବଣିକ ସଂଘ ସଭାପତି ଗୌରୀ ଶଙ୍କର ବାରିକି ମଧ୍ୟ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ l ପରବର୍ତ୍ତୀ ସମୟରେ ଏନ୍‌ଏସି ଇଓ ଆସନ୍ତା ଦୁଇ ଦିନ ମଧ୍ୟରେ ଭତ୍ତା ପ୍ରଦାନ କରାଯିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା l

Share