ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହୋ ସମାଜ ନେତା

କେନ୍ଦୁଝର,୨୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଆଦିବାସୀ ହୋ ସମାଜ ମହାସଭାର ନେତା ଗୌରଚନ୍ଦ୍ର ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ସଭାପତି ସୁରେଶ ମୁଣ୍ଡା l

ଏହି ଅବସରରେ ନେତା ଦ୍ୱୟ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାର ବିଶେଷ କରି ଖଣି ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ଖଣି ଅଞ୍ଚଳର ଆଦିବାସୀମାନେ କାମଧନ୍ଦା ନ ପାଇ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

ଖଣି ଅଞ୍ଚଳରେ କୁଶଳୀ ଶ୍ରମିକ ଭାବେ ସ୍ଥାନୀୟ ଯୁବତୀ, ଯୁବକମାନେ କିପରି ନିଯୁକ୍ତି ପାଇ ପାରିପାରିବେ, ସେଥିପ୍ରତି ସରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ବ୍ୟତୀତ ସୁନ୍ଦରଗଡ଼ ଜିଲାର କୋଇଡ଼ା ବ୍ଲକ ଅଧୀନ ଏକ ଖଣିରେ ସ୍ଥାନୀୟ ଯୁବତୀ, ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ l ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଥିଲା। ରାଷ୍ଟ୍ରପତି ଭବନରୁ ସମସ୍ୟାର ସମାଧାନ ପାଇଁ ଖଣି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଆସିଛି l ମାତ୍ର ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏହା ସହିତ ଚମ୍ପୁଆଠାରେ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସହଯୋଗ କାମନା କରିଥିଲେ।