ହର୍ସ ରେସ୍ ବା ଘୋଡ଼ା ଦୌଡ଼ ଦେଖିବାକୁ ଅନେକେ ପସନ୍ଦ କରନ୍ତି। କେହି କେହି ତ ନିଜେ ଘୋଡ଼ା ଦୌଡ଼ରେ ସାମିଲ ହେବାକୁ ଚାହାନ୍ତି। ତେବେ ଜାଣନ୍ତି କି ଯେଉଁମାନଙ୍କୁ ଘୋଡା ଦୌଡ ପସନ୍ଦ ଅବା ନିଜେ ଘୋଡା ଦୌଡରେ ସାମିଲ ହେବାକୁ ଚାହାନ୍ତି, ହେଲେ ଘୋଡ଼ା ଚଳାଇପାରନ୍ତି ନାହିଁ ସେମାନଙ୍କୁ ଫିନ୍ଲାଣ୍ଡରେ ହେଉଥିବା ଏକ ପ୍ରତିଯୋଗିତା ବେଶ୍ ଭଲ ଲାଗିବ। ଏହି ପ୍ରତିଯୋଗିତାରେ ସେମାନେ ଭାଗ ନେଇପାରିବା ସହ ନିଜକୁ ଏକ ଘୋଡ଼ା ଚାଳକ ଭଳି ଅନୁଭବ କରିପାରିବେ। ଏହି ପ୍ରତିଯୋଗିତାର ନାମ ହେଉଛି ହବି ହର୍ସିଂ। ଏଥିରେ ପ୍ରତିଯୋଗୀ ହାତରେ ଖେଳଣାର ଘୋଡ଼ା ମୁଣ୍ଡ, ଯାହା ସହ କାଠ ବାଡ଼ି ସଂଯୋଗ ହୋଇଥାଏ ତାକୁ ଧରି ନିଜେ ଘୋଡ଼ା ପରି ଦୌଡ଼ିବା ସହ ବାଟରେ ଥିବା ହର୍ଡଲ୍ସକୁ ଡେଇଁ ପାର୍ କରିବାକୁ ହୁଏ। ଘୋଡ଼ା ମୁଣ୍ଡକୁ ଦୁଇ ହାତରେ ଏଭଳି ଧରିଥାନ୍ତି ଯେ, ଲାଗେ ସତେ ଯେମିତି ପ୍ରତିଯୋଗୀ ଘୋଡ଼ାରେ ବସି ଦୌଡୁଛି। ଫିନ୍ଲାଣ୍ଡରେ ମହିଳାମାନଙ୍କ ଭିତରେ ଏହି ପ୍ରତିଯୋଗିତାକୁ ନେଇ ସ୍ବତନ୍ତ୍ର କ୍ରେଜ୍ ଦେଖିବାକୁ ମିଳେ। ଆଉ ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଘଣ୍ଟା ଘଣ୍ଟା ଅଭ୍ୟାସ କରନ୍ତି। ପ୍ରାୟ ୧୦ ବର୍ଷ ହେବ ଏହି ପ୍ରତିଯୋଗିତା ଫିନ୍ଲାଣ୍ଡରେ ଆୟୋଜିତ ହେଉଛି।