ମୋ ବସ୍‌ରେ ମାଗଣା ଯାତ୍ରା କରିବେ ହକି ଦର୍ଶକ

ଭୁବନେଶ୍ୱର,୧୩।୧(ବ୍ୟୁରୋ): ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କ୍ରୁଟ୍‌ ପକ୍ଷରୁ ସ୍ମାର୍ଟସିଟି ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ରାଉରକେଲା ମଧ୍ୟରେ ଯାତ୍ରୀଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଏହି ସେବା ଆରମ୍ଭ ହୋଇଥିବାବେଳେ ଭୁବନେଶ୍ୱରରେ ୧୫ଟି ଅତିରିକ୍ତ ଇ-ବସ୍‌ ସେବା ଆରମ୍ଭ ହୋଇଛି। ଆଗାମୀ ଦିନରେ ଆହୁରି ୧୦ଟି ଇ-ବସ୍‌ ରାଜଧାନୀରେ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ହକି ବିଶ୍ୱକପ୍‌ର ବୈଧ ଟିକେଟ ରଖିଥିବା ଯାତ୍ରୀ ଭୁବନେଶ୍ୱରରୁ ରାଉରକେଲା କ୍ରୁଟ୍‌ର ସ୍ବତନ୍ତ୍ର ଶଟଲ୍‌ରେ ନିଶୁଳ୍କ ଯାତ୍ରା କରି ପାରିବେ। ଟିକେଟ ଉପରେ ଲେଖାଯାଇଥିବା ତାରିଖ ଆଧାରରେ କ୍ରୀଡ଼ାପ୍ରେମୀମାନେ ଏହି ସୁବିଧା ପାଇ ପାରିବେ। ସେହିପରି ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ସେବା ଭୁବନେଶ୍ୱରର ୩ଟି ରୁଟ୍‌ରେ ଉପଲବ୍ଧ ହେବ। ଡଟ୍‌ଫେଷ୍ଟ ଏବଂ କଳିଙ୍ଗ ଷ୍ଟାଡିୟମ୍‌କୁ ଯିବାକୁ ଥିବା ଯାତ୍ରୀ ଟିକେଟ୍‌ ଦେଖାଇ ଅନୁରୂପ ସୁବିଧା ପାଇପାରିବେ। ସେହିପରି କ୍ରୁଟ୍‌ର ଅନ୍ୟାନ୍ୟ ସେବା ସହ ‘ହେରିଟେଜ୍‌ ଅନ୍‌ ମୋ ଇ-ରାଇଡ୍‌’ ସେବା ଯୋଡ଼ିହେବାକୁ ଯାଉଛି। ଏହି ସେବା ହକି ବିଶ୍ୱକପ୍‌ ସମୟରେ ନାଗରିକ ଓ ପର୍ଯ୍ୟଟକ ପାଇପାରିବେ। ଇ-ରିକ୍ସାରେ ଯାତ୍ରୀମାନେ ଏକାମ୍ର କ୍ଷେତ୍ର ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିପାରିବେ। ପର୍ଯ୍ୟଟକମାନେ ୧୩ରୁ ୧୫ ତାରିଖ ମଧ୍ୟରେ ସକାଳ ୭ଟାରୁ ୯ଟା ଏବଂ ଅପରାହ୍ନ ୩ ଟାରୁ ୫ଟା ଦୁଇଟି ପର୍ଯ୍ୟାୟରେ ନିଶୁକ୍ଳ ଭାବେ ଯାତ୍ରା କରି ପାରିବେ ବୋଲି ସୂଚନା ଦିଆଯାଇଛି।

Share