Categories: ଖେଳ

ଅଲିମ୍ପିକ ଦିବସ ପାଳିଲା ହକି ଇଣ୍ଡିଆ

ନୂଆଦିଲ୍ଲୀ, ୨୪ା୬: ଶୁକ୍ରବାର ସମଗ୍ର ବିଶ୍ୱରେ ଅଲିମ୍ପିକ ଦିବସ ପାଳନ ହୋଇଛି। ଏହି ଅବସରରେ କ୍ରୀଡ଼ାବିତ୍‌ଙ୍କ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ହକି ଇଣ୍ଡିଆ ଦ୍ୱାରା ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଅଲିମ୍ପିକ ଦିବସ ପାଳନର ବିଷୟବସ୍ତୁ ‘ଲେଟ୍‌ ଅସ୍‌ ମୁଭ୍‌’ ରଖାଯାଇଥିଲା। ହକି ଇଣ୍ଡିଆର ସଦସ୍ୟ ୟୁନିଟ୍‌ଗୁଡ଼ିକ ତରଫରୁ ବିଭିନ୍ନ କାର୍ଯ୍ୟକଳାପର ଆୟୋଜନ ହୋଇଥିଲା, ଯଥା ପ୍ରଦର୍ଶନୀ ହକି ମ୍ୟାଚ, ମିନି ହକି ଟୁର୍ନାମେଣ୍ଟ, କାୟାକିଂ, ରୋଲର ସ୍କେଟିଂ, ଅଲିମ୍ପିକ ଦିବସ ଉପରେ କୁଇଜ୍‌, ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା। ଆଥଲେଟିକ ସାମର୍ଥ୍ୟ ଥାଉ ଅବା ନ ଥାଉ ପୁରୁଷ ହେଉ ଅବା ମହିଳା ସମସ୍ତ ବୟସବର୍ଗର ବ୍ୟକ୍ତି ବିଶେଷଙ୍କୁ କ୍ରୀଡ଼ା ସହ ସଂଶ୍ଳିଷ୍ଟ କରିବା ଲାଗି ଉତ୍ସାହିତ କରିବା ହେଉଛି ଅଲିମ୍ପିକ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପୁଡୁଚେରୀ ହକି ପକ୍ଷରୁ ଚିତ୍ରାଙ୍କନ, କୁଇଜ୍‌ ପ୍ରତିଯୋଗିତା ଏବଂ ହକି ଟୁର୍ନାମେଣ୍ଟ କରାଯାଇଥିଲା। ଖେଳର ପ୍ରମୋଟ ପାଇଁ ହକି ଝାଡ଼ଖଣ୍ଡ ଓ ହକି ରାଞ୍ଚତ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚର ଆୟୋଜନ କରାଯାଇଥିଲା। ଆହୁରି ମଧ୍ୟ ବହୁ ସଦସ୍ୟ ୟୁନିଟ ଯଥା ହରିୟାଣା, ଆସାମ, ଗୋଆ, ଓଡ଼ିଶା, ଜମ୍ମୁ ଓ କଶ୍ମୀର, ଛତିଶଗଡ଼, ଦାଦ୍ରା ନଗର ହାବେଲି ଏବଂ ଦାମନ ଓ ଦିଉ, ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ଏବଂ ମିଜୋରାମ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ହକି ବେଙ୍ଗଲ ପକ୍ଷରୁ ଆୟୋଜିତ ଏକ ଗଣଦୌଡ଼ରେ ପୋଲିସ କର୍ମଚାରୀ ଭାଗ ନେଇଥିଲେ। ହକି ରାଜସ୍ଥାନ ଅଲିମ୍ପିକ ଦିବସ ସଚେତନତା ଗଣ ଦୌଡ଼, ବୃକ୍ଷରୋପଣ ଏପରକି କାୟାକିଂର ଆୟୋଜନ କରିଥିଲା। ହକି କୋଲକାତା ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଟ୍ରେନିଂ ସେସନରେ ପେନାଲ୍ଟି ଷ୍ଟ୍ରୋକ୍‌କୁ ଅଟକାଇବା ଲାଗି ବିଭିନ୍ନ ପ୍ରକାର କୌଶଳ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କୀ କହିଛନ୍ତି, ଲୋକେ କ୍ରୀଡ଼ାକୁ ଯେପରି ସେମାନଙ୍କର ଏକ ଜୀବନ ଶୈଳୀର ଏକ ଅଂଶବିଶେଷ ଭାବେ ଗ୍ରହଣ କରିବା ଲାଗି ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିବେ ସେ ଦିଗରେ ଆମ ସଦସ୍ୟ ୟୁନିଟ୍‌ଗୁଡ଼ିକର କାର୍ଯ୍ୟକଳାପ ପ୍ରଶଂସନୀୟ। ଶାରିରୀକ ଦକ୍ଷିା, ଶିକ୍ଷା, ସଂସ୍କୃତିର ବିକାଶ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି ହେଉଛି ଅଲିମ୍ପିକ ଦିବସ ପାଳନର ଉଦ୍ଧେଶ୍ୟ ବୋଲି ସେ କହିଛନ୍ତି।

Share