Categories: ଖେଳ

ନୂଆ ରୂପରେ ଫେରିବ ହକି ଇଣ୍ଡିଆ ଲିଗ୍‌

ନୂଆଦିଲ୍ଲୀ, ୩ା୭(ପି.ଟି.): ଆସନ୍ତା ବର୍ଷ ଶେଷ ଭାଗରେ କିମ୍ବା ୨୦୨୫ ପ୍ରଥମ ଭାଗରେ ନୂଆ ରୂପରେ ଆୟୋଜନ କରିବା ଲାଗି ବିଚାର କରୁଛି ଉଭୟ ପୁରୁଷ ଓ ମହିଳା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌) ।
ଫ୍ରାଞ୍ଚାଇଜଭିତ୍ତିକ ଏହି ଲିଗ୍‌ ୭ବର୍ଷ ହେଲା ବନ୍ଦ ରହିଛି। ଆର୍ଥିକ ପ୍ରସଙ୍ଗ ଏବଂ ଟିମ୍‌ ମାଲିକମାନଙ୍କ ଅସହଯୋଗ ଯୋଗୁ ୨୦୧୭ରେ ଏଚ୍‌ଆଇଏଲ୍‌କୁ ସ୍ଥଗିତ ରଖାଯାଇଥିଲା। ପ୍ୟାରିସରେ ଅଲିମ୍ପିକ୍ସ ହକି ଇଣ୍ଡିଆ ଲିଗ୍‌ ଖେଳାଯାଇପାରେ ବୋଲି ଆଶା କରାଯାଉଛି। ଅଲିମ୍ପିଆନ ଦିଲୀପ ତିର୍କୀଙ୍କ ଅଧୀନରେ ହକି ଇଣ୍ଡିଆ ପରିଚାଳନା ପରିଷଦ ଦେଶରେ ହକି ଦୃଶ୍ୟପଟ୍ଟର ପରିବର୍ତ୍ତନ ଆଣିବା ଲାଗି ଯୋଜନା ଚଳାଇଛି। ଏଚ୍‌ଆଇଏଲ୍‌ ଉଦୀୟମାନ ଖେଳାଳିଙ୍କ ଲାଗି ଏକ ବଡ଼ ପ୍ଲାଟଫର୍ମ ହେବ। କାରଣ ସେମାନେ ବିଶ୍ୱର ଟପ୍‌ ଖେଳାଳିମାନଙ୍କ ସହ ଖେଳିବା ସୁଯୋଗ ପାଇବେ। ଆସନ୍ତାବର୍ଷ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)କୁ ସମୟ ଦେବାକୁ ହକି ଇଣ୍ଡିଆ ଅନୁରୋଧ କରିଛି, ହେଲେ ଏପର୍ଯ୍ୟନ୍ତ ଜବାବ ମିଳି ନାହିଁ। ଅଲିମ୍ପିକ୍ସ ପରେ ଆସନ୍ତା ବର୍ଷ ଡିସେମ୍ବର କିମ୍ବା ୨୦୨୫ ଜାନୁୟାରୀରେ ସମୟ ଦେବାକୁ ଅନୁରୋଧ କରାଯାଇଥିବା ହକି ଇଣ୍ଡିଆ ସଭାପତି ପ୍ରକାଶ କରିଛନ୍ତି। ହକି ଇଣ୍ଡିଆ ଯୋଜନା ଅନୁସାରେ ଆଗାମୀ ଏଚ୍‌ଆଇଏଲ୍‌ରେ ୮ ପୁରୁଷ ଓ ୪ ମହିଳା ଦଳ ରହିବ। ହକି ଇଣ୍ଡିଆ ଇତିମଧ୍ୟରେ ବିଗ୍‌ ବ୍ୟାଙ୍ଗ୍‌ ମେଡିଆ ଭେଞ୍ଚର୍ସକୁ ଏହାର କମର୍ସିଆଲ ଓ ମାର୍କେଟିଂ ପାର୍ଟନର କରିଛି। ଲିଗ୍‌କୁ ପୁନର୍ଜୀବିତ କରିବା ଲାଗି ବିଗ୍‌ ବ୍ୟାଙ୍ଗ୍‌ ଯୁଦ୍ଧକାଳୀନ ଭିତ୍ତିରେ ଏହାର କାର୍ଯ୍ୟ ଆରମ୍ଭ କରିଛି। ଖବର ଅନୁସାରେ ହକି ଇଣ୍ଡିଆ ଏହାର କମର୍ସିଆଲ ପାର୍ଟନର ସମେତ ଖେଳର ସମସ୍ତ ଅଂଶୀଦାରଙ୍କ ସହ ଏକ ବୈଠକ ଜୁଲାଇ ୫ରେ ଆୟୋଜନ କରିଛି। ଏଥିରେ ଲିଗ୍‌କୁ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ହକି ଇଣ୍ଡିଆ ସଭାପତି ଭୋଳାନାଥ ସିଂ କହିଛନ୍ତି, ନୂଆ ହକି ଇଣ୍ଡିଆ ଲିଗ୍‌ ପୂର୍ବ ତୁଳନାରେ ଆହୁରି ବଡ଼ ଆକାରରେ ହେବ। ସୂଚନାଯୋଗ୍ୟ, ପ୍ରଥମ ଏଚ୍‌ଆଇଏଲ୍‌ ୨୦୧୩ରେ ୬ଟି ଦଳକୁ ନେଇ ହୋଇଥିଲା। ଏହା ଜାନୁୟାରୀରୁ ଫେବୃୟାରୀ ୨ ମାସ ଧରି ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଦଳକୁ ୧୦ଟି ଲେଖାଏ ଗେମ୍‌ ଖେଳିବାକୁ ହୋଇଥିଲା। ସିଜନ ଶେଷରେ ଶ୍ରେଷ୍ଠ ୪ ଦଳ ପ୍ଲେ-ଅଫ୍‌କୁ ଉନ୍ନୀତ ହୋଇଥିଲେ। ଏଥିରୁ ବିଜେତା ନିରୂପିତ ହୋଇଥିଲା।

Share