Categories: ଖେଳ

ଗୋଷ୍ଠୀ ବିବାଦ ଅଭିଯୋଗକୁ ଖଣ୍ଡନ କଲା ହକି ଇଣ୍ଡିଆ

ନୂଆଦିଲ୍ଲୀ,୨୯ା୨(ପି.ଟି.): ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲେନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିବା ସହ ଗୋଷ୍ଠୀ ବିବାଦର ଅଭିଯୋଗ ଆଣିଥିଲେ। ଇସ୍ତଫା ସହ ହକି ଇଣ୍ଡିଆରେ ଗୋଷ୍ଠୀ ବିବାଦ ଚାଲିଥିବା ନେଇ ଅଭିଯୋଗ କରିଥିଲେ ଏଲେନା। ସେ କହିଥିଲେ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ମୁଁ ଗୋଟିଏ ଗୋଷ୍ଠୀରେ ଥିବା ବେଳେ ମହାସଚିବ ଭୋଳାନାଥ ସିଂ, କାର୍ଯ୍ୟକାରୀ ନିର୍ଦ୍ଦେଶକ କମୋଡର ଆର. କେ. ଶ୍ରୀବାସ୍ତବ ଓ କୋଷାଧ୍ୟକ୍ଷ ଜେ. ମନୋହରନ ଅନ୍ୟ ଏକ ଗୋଷ୍ଠୀରେ ରହିଥିଲେ। ଦୁଇଟି ଗୋଷ୍ଠୀ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିବା ବେଳେ ଆବଶ୍ୟକ ଫଳାଫଳ ମିଳିବା କଷ୍ଟକର ବୋଲି ସେ କହିଥିଲେ। ତେବେ ବୁଧବାର ହକି ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ଏକ ବିବୃତିରେ ଉଭୟ ଦିଲୀପ ତିର୍କୀ ଓ ଭୋଳାନାଥ ସିଂ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଉଭୟଙ୍କ ମଧ୍ୟରେ ବିବାଦ କାରଣରୁ ହକିର ଉନ୍ନତି ବାଧାପ୍ରାପ୍ତ ହେଉଥିବା ନେଇ ନର୍ମାନ ଅଭିଯୋଗ କରିଥିଲେ।

ବୁଧବାର ଉଭୟ ତିର୍କୀ ଓ ସିଂ ଏକ ମିଳିତ ବିବୃତିରେ କହିଛନ୍ତି, ନିକଟରେ ପ୍ରକାଶ ପାଇଥିବା ଗୋଷ୍ଠୀ ବିବାଦ ବିବୃତି ସମ୍ପୂର୍ଣ୍ଣ ଅମୂଳକ। ଏହାର କୌଣସି ସତ୍ୟାସତ୍ୟ ନାହିଁ। କ୍ରୀଡ଼ାର ଉନ୍ନତି ପାଇଁ ଆମେ ସର୍ବଦା ଏକ ହୋଇ କାର୍ଯ୍ୟ କରିବୁ ବୋଲି ଉଭୟ କହିଛନ୍ତି। ଭାରତୀୟ ହକିର ଉନ୍ନତି ପାଇଁ ହକି ଇଣ୍ଡିଆ ଏକ ସ୍ବାୟତ୍ତ ସଙ୍ଗଠନ ହୋଇଥିବା ବେଳେ ହକିର ବିକାଶ ପାଇଁ ଆମେ ବଦ୍ଧପରିକର। ହକି ଇଣ୍ଡିଆ କିଭଳି ଏହାର ଶୀର୍ଷତର ସୋପାନ ଛୁଇଁବ ତାହା ଆମର ଏକମାତ୍ର ଲକ୍ଷ୍ୟ ବୋଲି ଉଭୟ କହିଛନ୍ତି। ପୂର୍ବରୁ ମହିଳା ଦଳର ମୁଖ୍ୟ କୋଚ୍‌ ଜାନେକ ସ୍କୁପମାନ୍‌ ମଧ୍ୟ ସମାନ ଅଭିଯୋଗ କରି ଇସ୍ତଫା ଦେଇଥିଲେ। ହକି ଇଣ୍ଡିଆ ମହିଳା ହକି ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ନେଇ ସେ ଅଭିଯୋଗ କରିଥିଲେ। ଜାନେକ ସ୍କୁପମାନ୍‌ଙ୍କ ଅଭିଯୋଗକୁ ମଧ୍ୟ ଉଭୟ ଖଣ୍ଡନ କରିଛନ୍ତି। ସମସ୍ତ ଦଳ ଓ ଖେଳାଳିଙ୍କୁ ଆମେ ସମାନ ଭାବରେ ଦେଖିଥାଉ ବୋଲି ଉଭୟ କହିଛନ୍ତି। ତୃଣମୂଳ ସ୍ତରରୁ ହିଁ ସମସ୍ତଙ୍କୁ ଉପଯୁକ୍ତ ସୁଯୋଗ ଦେଇ ଆମେ ହକି ଆରମ୍ଭ କରିଛୁ ତେଣୁ ପାତର ଅନ୍ତରର ପ୍ରଶ୍ନ ଉଠୁନାହିଁ। ଦେଶରେ ହକି ପ୍ରତିଭାର ବିକାଶ ଆମର ଏକମାତ୍ର ଲକ୍ଷ୍ୟ ବୋଲି ଉଭୟ କହିଛନ୍ତି। ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଉଭୟ ପୁରୁଷ ଓ ମହିଳା ଖେଳାଳିମାନେ ଯେଭଳି ସର୍ବୋତ୍କୃଷ୍ଟ ସୁବିଧା ପାଇପାରିବେ ତାହା ନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି କହିଛନ୍ତି ଦିଲୀପ ତିର୍କୀ ଓ ଭୋଳାନାଥ ସିଂ। ନର୍ମାନ ନିଜ ବୟାନରେ ଦିଲୀପ ତିର୍କୀ ଭାରତୀୟ ହକିର ବିକାଶ ପାଇଁ କାର୍ଯ୍ୟ କରୁଥିବା ନେଇ କହିଥିବା ବେଳେ ଭୋଳାନାଥ ସିଂ କେବଳ କ୍ଷମତା ହାସଲ ପାଇଁ ଚାହାନ୍ତି। ବର୍ତ୍ତମାନ ଏଭଳି ସ୍ଥିତିରେ ମହିଳା ଦଳର ବିକାଶ ପାଇଁ କାର୍ଯ୍ୟ କରିବା ଆମର ଏକମାତ୍ର ଲକ୍ଷ୍ୟ ବୋଲି ଉଭୟ କହିଛନ୍ତି। ମହିଳା ହକି ଦଳ ଅଲିମ୍ପିକ୍ସ ଯୋଗ୍ୟତା ହାସଲରେ ବିଫଳ ହୋଇଥିବା ବେଳେ ପୁନର୍ବାର ସବୁକିଛି ଶୂନରୁ ଆରମ୍ଭ କରିବା ପାଇଁ ଆମେ ବଦ୍ଧପରିକର ବୋଲି କହିଛନ୍ତି ଦିଲୀପ ତିର୍କୀ ଓ ଭୋଳାନାଥ ସିଂ।

Share