ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ପୁରସ୍କୃତ

ନୂଆଦିଲ୍ଳୀ,୨୩ା୩: ଏସିଆନ୍‌ ହକି ମହାସଂଘ(ଏଏଚ୍‌ଏଫ୍‌) ପକ୍ଷରୁ ହକି ବିଶ୍ୱକପ୍‌ ୨୦୨୩ର ସଫଳ ଆୟୋଜନ ପାଇଁ ହକି ଇଣ୍ଡିଆକୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଏପରିକି ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆକୁ ସମ୍ମାନିତ କରାଯାଇଛି।

ଦକ୍ଷିଣ କୋରିଆର ମୁଙ୍ଗୟେୟୋଙ୍ଗରେ ଆୟୋଜିତ ଏଏଚ୍‌ଏଫ୍‌ କଂଗ୍ରେସରେ ହକି ଇଣ୍ଡିଆ ମହା ସଚିବ ଭୋଳାନାଥ ସିଂ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୂର୍ବରୁ ୨୦୧୮ ବିଶ୍ୱକପ ମଧ୍ୟ ଭାରତରେ ଅନୁଷ୍ଠିତ ହୋଇଥିଲା। ୨୦୧୮ରେ କେବଳ କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳା ଯାଇଥିଲା। ତେବେ ୨୦୨୩ରେ ନବନିର୍ମିତ ବିଶ୍ୱର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳା ଯାଇଥିଲା। ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଲିମ୍ପିକ୍ସ ଭିଲେଜ୍‌ ଷ୍ଟାଇଲରେ ହକି ଭିଲେଜ୍‌ ରହିଥିବା ବେଳେ ଏହାକୁ ସମସ୍ତେ ପ୍ରଶଂସା କରିଥିଲେ। ଟୁର୍ନାମେଣ୍ଟର ମାସ୍କଟ ରହିଥିବା ଓଲି ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ନେଇ ସଚେତନତା ବାର୍ତ୍ତା ଦେଇଥିଲା। ଏହି ସମ୍ମାନ ପାଇଁ ହକି ଇଣ୍ଡିଆ ସଭାପତିକ ଦିଲୀପ ତୀର୍କି ଏଏଚଏଫ୍‌କୁ ଧନ୍ୟବାଦ ଜଣାଇଛନ୍ତି। ଖେଳାଳି, ଅଫିସିଆଲ ଓ ଦର୍ଶକଙ୍କୁ ଶ୍ରେଷ୍ଠ ସୁବିଧା ପ୍ରଦାନ ପାଇଁ ସର୍ବଦା ଚେଷ୍ଟା କରିଥିଲୁ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ କହିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଟୁର୍ନାମେଣ୍ଟକୁ ସଫଳ ହେବାରେ ସାହାଯ୍ୟ କରିଛି ବୋଲି ଦିଲୀପ ପ୍ରକାଶ କରିଛନ୍ତି।