Categories: ଖେଳ

‘ଓଡ଼ିଶାରେ ହକି ଆୟୋଜନ ପ୍ରଶଂସନୀୟ’

ରାଉରକେଲା ଅଫିସ,୧୬।୧: ଓଡ଼ିଶା ବିଶ୍ୱକପ୍‌ ହକିକୁ ଅତି ସୁନ୍ଦର ଭାବେ ଆୟୋଜନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଆଜି ବିଶ୍ୱସ୍ତରରେ ଓଡ଼ିଶା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଥିପାଇଁ ମୁଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛି ବୋଲି ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିସରରେ ଥିବା ମିଡିଆ କନ୍‌ଫରେନ୍ସ ହଲ୍‌ରେ ରବିବାର ଏକ ଖବରଦାତା ସମ୍ମିଳନୀରେ ଏଫ୍‌ଆଇଏଚ୍‌ର ସଭାପତି ତାୟାବ ଇକ୍‌ରାମ କହିଛନ୍ତି। ତାୟାବ ଆହୁରି କହିଥିଲେ, ରାଜ୍ୟ ସରକାର ହକିକୁ ପ୍ରୋତ୍ସାହନ ଦେଉଛନ୍ତି। ଏହାଦ୍ୱାରା ରାଜ୍ୟର ଗ୍ରାମାଞ୍ଚଳରେ ବାସ କରୁଥିବା ହକି ଖେଳାଳିଙ୍କ ପାଇଁ ବହୁତ ଲାଭଦାୟକ ହେବ। ରାଉରକେଲାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ବୃହତ୍ତମ ଷ୍ଟାଡିୟମ ହୋଇଥିବାବେଳେ ଏଠାରେ ୨୦ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ବିଶ୍ୱସ୍ତରୀୟ ଅତି ଉତ୍କୃଷ୍ଟ ଷ୍ଟାଡିୟମ। ଏଠାରେ ଖେଳାଳିମାନଙ୍କ ରହିବାଠାରୁ ଆରମ୍ଭ କରି ହକିର ସମସ୍ତ ଆନୁଷଙ୍ଗିକ ସୁବିଧା ଉପଲବ୍ଧ ରହିଛି।

Share