Categories: ଖେଳ

ହକି ର଼୍ୟାଙ୍କିଙ୍ଗ: ଭାରତ ପୁରୁଷ ଦଳ ୩ୟ

ଲାଉସାନେ (ସୁଇଜରଲାଣ୍ଡ), ୧୯ା୯: ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ସଦ୍ୟ ପ୍ରକାଶିତ ବିଶ୍ୱ ର଼୍ୟାଙ୍କିଙ୍ଗରେ ଭାରତୀୟ ପୁରୁଷ ଦଳ ୩ୟ ସ୍ଥାନରେ ରହିଥିବା ବେଳେ ମହିଳା ଦଳ ୭ମ ସ୍ଥାନରେ ଅଛି। ଗତମାସରେ ଭାରତ ୧୨ମାସରୁ ଅଧିକ ସମୟ ପରେ ୩ୟ ସ୍ଥାନକୁ ଫେରିଛି। ଗତ ମାସରେ ଚେନ୍ନାଇରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୩ରେ ଅପରାଜେୟ ରହିବା ଦ୍ୱାରା ଏହା ଘଟିଛି। ଭାରତ ଏଥିରେ ଖେଳିଥିବା ୭ଟି ମ୍ୟାଚ ମଧ୍ୟରୁ ୬ଟିରେ ବିଜୟ ଲାଭ କରିଥିଲା। ଫାଇନାଲରେ ନେଦରଲାଣ୍ଡ୍ସଠାରୁ ହାରିଯିବା ଫଳରେ ଇଂଲଣ୍ଡ (୨୭୪୫ ପଏଣ୍ଟ) ଶ୍ରେଷ୍ଠ ୩ରୁ ବାଦ୍‌ପଡ଼ି ଚତୁର୍ଥ ସ୍ଥାନରେ ରହିଛି। ୟୁରୋ ହକି ଚାମ୍ପିୟନଶିପ୍‌ ଟାଇଟଲ ସହ ନେଦରଲାଣ୍ଡ୍ସ (୩୧୧୩) ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଟାଇଟଲ ହାସଲ କରିଛି। ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ ୨୦୨୩ରେ ବ୍ରୋଞ୍ଜ ପଦକ ମଧ୍ୟ ପାଇଛି। ଆଧିପତ୍ୟ ବିସ୍ତାର କରିଥିବାରୁ ନେଦରଲାଣ୍ଡ୍ସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଲଜିୟମ (୨୯୮୯)ଠାରୁ ପଏଣ୍ଟ ବ୍ୟବଧାନରେ ଯଥେଷ୍ଟ ଆଗରେ ରହିଛି। ଜର୍ମାନୀ (୨୬୮୯) ଓ ଅଷ୍ଟ୍ରେଲିଆ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନରେ ଅଛନ୍ତି। ଆର୍ଜେଣ୍ଟିନା (୨୩୫୦) ଗୋଟିଏ ସ୍ଥାନ ଉପରକୁ ଉଠି ସ୍ପେନ (୨୩୪୭) ଆଗରେ ୭ମ ସ୍ଥାନରେ ରହିଛି।
ମହିଳା ଦଳକୁ ୭ମ ସ୍ଥାନ
ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତୀୟ ମହିଳା ହକି ଦଳ ୭ମ ସ୍ଥାନରେ ରହିଛି। ନେଦରଲାଣ୍ଡ୍ସ (୩୪୨୨) ମହିଳା ହକି ଦଳ କ୍ରମାଗତ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିବାରୁ ପ୍ରଥମ ସ୍ଥାନ ଅଧିକାର କରିବାରେ ସମର୍ଥ ହୋଇପାରିଛି। ଦଳର ରେକର୍ଡ ୧୨ତମ ୟୁରୋହକି ଚାମ୍ପିୟନଶିପ୍‌ ଟାଇଟଲ ଜିତିଛି। ଅଷ୍ଟ୍ରେଲିଆ (୨୮୧୮) ଓ ଆର୍ଜେଣ୍ଟିନା (୨୭୬୭) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ୟୁରୋ ହକି ଚାମ୍ପିୟନଶିପ୍‌ରେ ରୌପ୍ୟ ଜିତିଥିବା ବେଲଜିୟମ (୨୬୦୯) ଜର୍ମାନୀ ଆଗରେ ରହିଛି। ଏହି ଦୁଇ ଦଳ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ଅଛନ୍ତି। ଭାରତୀୟ ମହିଳା ଦଳ (୨୩୨୫)ଗୋଟିଏ ସ୍ଥାନ ଉପରକୁ ଉଠି ୭ମରେ ରହିଛି।

Share