Categories: ଖେଳ

କଳିଙ୍ଗରେ ହକି କମ୍ପନ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି): ଟାଇଟଲ ଫେଭରାଇଟ ଅଷ୍ଟ୍ରେଲିଆ ଦମ୍‌ଦାର ବିଜୟ ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ଏହି ଦଳ ଟମ୍‌ କ୍ରେଗ୍‌ ଓ ଜେରେମି ହଓ୍ବୋର୍ଡଙ୍କ ହ୍ୟାଟ୍ରିକ ଗୋଲ ବଳରେ ଫ୍ରାନ୍ସକୁ ୮-୦ ଗୋଲରେ ପରାସ୍ତ କରିଛି। ମ୍ୟାଚଟି ସମ୍ପୂର୍ଣ୍ଣ ଏକତରଫା ରହିଥିଲା। ଅଷ୍ଟ୍ରେଲିଆର ସ୍ପିଡ୍‌, ଷ୍ଟାମିନା, ଗୋଲସ୍କୋରିଂ କ୍ଷମତା ଆଦି ସବୁ ବିଭାଗରେ ପଛରେ ପଡ଼ି ଯାଇଥିଲା ଫ୍ରାନ୍ସ। ମ୍ୟାଚ ଶେଷରେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅତିଥିଭାବେ ଯୋଗଦେଇ ଟମ୍‌ କ୍ରେଗ୍‌ଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଆଧିପତ୍ୟ ରହିଥିଲା। ୯ମ ମିନିଟରେ ଟମ୍‌ ଏକ ଫିଲ୍ଡ ଗୋଲ ମାଧ୍ୟମରେ ଆରମ୍ଭ କରିଥିବା ଅଭିଯାନ କ୍ରମେ ଲମ୍ବିବାରେ ଲାଗିଥିଲା। ପ୍ରଥମାର୍ଦ୍ଧରେ ୧-୦ ଗୋଲରେ ଆଗୁଆ ରହିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟା କ୍ୱାର୍ଟରରେ ଆଉ ୩ଟି ଗୋଲ ଦେଇ ଅଭିମୁଖ୍ୟ ସ୍ପଷ୍ଟ କରି ଦେଇଥିଲା। ୨୭ତମ ମିନିଟରେ ୨ଟି ଗୋଲ ହୋଇଥିଲା। ଓଗିଲ ଭି ଫ୍ଲାୟନ ଫିଲ୍ଡଗୋଲ ଦେଇଥିବାବେଳେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଜେରେମି। ୨୯ତମ ମିନିଟରେ ଜେରେମି ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୪ର୍ଥ ଗୋଲଟି ସ୍କୋର କରିଥିଲେ। ତୃତୀୟ କ୍ୱାର୍ଟରରେ ମଧ୍ୟ ୩ ଗୋଲ ବରଣ କରିଥିଲା ଫ୍ରାନ୍ସ। ଅଷ୍ଟ୍ରେଲିଆର ଟମ୍‌ ୩୨ ଓ ୪୫ତମ ମିନିଟରେ ୨ଟି ଏବଂ ଜେରେମି ୩୯ତମ ମିନିଟରେ ଗୋଟିଏ ଗୋଲ ଦେଇ ହ୍ୟାଟ୍ରିକ ପୂରଣ କରିଥିଲେ। ଶେଷ କ୍ୱାର୍ଟରରେ ଅର୍ଥାତ୍‌ ମ୍ୟାଚର ୫୪ତମ ମିନିଟରେ ଅଷ୍ଟ୍ରେଲିଆର ଟମ୍‌ ଓ୍ବିକ୍‌ହାମ ଦଳ ପକ୍ଷରୁ ୮ମ ଗୋଲଟି ଦେଇଥିଲେ। ଶେଷ ମିନିଟରେ ୨ଟି ସମେତ ଫ୍ରାନ୍ସ ଅଧଡଜନେ ପେନାଲ୍ଟି କର୍ନର ପାଇଥିଲେ ହେଁ ତାହାକୁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇ ନ ଥିଲା। ଅଷ୍ଟ୍ରେଲିଆ ଏହାର ପରବର୍ତ୍ତୀ ମ୍ୟାଚ ୧୬ ତାରିଖରେ ଆର୍ଜେଣ୍ଟିନା ସହ ଖେଳିବ। ସେହି ଦିନ ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

Share