Categories: ଖେଳ

କଳିଙ୍ଗରେ ହକି ଷ୍ଟ୍ରାଇକର୍ସ କ୍ୟାମ୍ପ ଆରମ୍ଭ

ଭୁବନେଶ୍ୱର, ୧୫।୮ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ, ଓଡ଼ିଶା ହକି ଓ ନାଭାଲ ଟାଟା ଏଚ୍‌ପିସିର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ସୋମବାର ମହିଳା ହକି ଷ୍ଟ୍ରାଇକର୍ସ କ୍ୟାମ୍ପ ଆରମ୍ଭ ହୋଇଛି। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ମେଣ୍ଟର ଓ କୋଚ୍‌ଭାବେ ଏହି କ୍ୟାମ୍ପ ଦାୟିତ୍ୱରେ ରହିଛନ୍ତି। ଏଥିରେ ଫରଓ୍ବାର୍ଡ ଖେଳାଳିମାନଙ୍କୁ ବିଶେଷ ତାଲିମ ଦେବା ଆରମ୍ଭ କରିଛନ୍ତି ପଦ୍ମଶ୍ରୀ ରାଣୀ ରାମପାଲ। ଏହି କ୍ୟାମ୍ପ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଷ୍ଟ୍ରାଇକର୍ସ କ୍ୟାମ୍ପରେ ୨୫ ଖେଳାଳି ଭାଗ ନେଇଛନ୍ତି। ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର, ପାନପୋଷ, ସ୍ପୋଟର୍‌ସ ହଷ୍ଟେଲ, ସାଇ ଏସ୍‌ଟିସି ସୁନ୍ଦରଗଡ଼ ଏବଂ ସାଇ ଏନ୍‌ସିଓଇ ଭୋପାଳ ପିଲାମାନେ ଏହି କ୍ୟାମ୍ପରୁ ବିଶେଷ ଉପକୃତ ହେବେ। ”ଏପରି କ୍ୟାମ୍ପ ଆୟୋଜନ ଉତ୍ତମ ପଦକ୍ଷେପ। କ୍ୟାମ୍ପ ମାଧ୍ୟମରେ ଓଡ଼ିଶାର ଖେଳାଳିଙ୍କୁ ମୁଁ ମୋର ଅଭିଜ୍ଞତା, ଦକ୍ଷତା ଓ ଜ୍ଞାନ ବାଣ୍ଟିପାରିବି। ଟ୍ରେନିଂ ସେସନରେ ବିଶେଷତଃ ବୈଷୟିକ, ଶାରୀରିକ ଏବଂ ମନସ୍ତାତ୍ତ୍ୱିକ ଦିଗ ଉପରେ ବିଶେଷ ଫୋକସ କରାଯିବ“ ବୋଲି ରାଣୀ ପ୍ରକାଶ କରିଛନ୍ତି। ଗତ କିଛିବର୍ଷ ଧରି ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯିବାଦ୍ୱାରା ଓଡ଼ିଶା ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନ ପାଇଯାଇଛି। ଏଠାକାର ସୁବିଧା ସୁଯୋଗ ଅତ୍ୟାଧୁନିକ ଏବଂ ବିଶ୍ୱସ୍ତରର ବୋଲି ରାଣୀ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ରାଣୀଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ୪ର୍ଥ ସ୍ଥାନ ଅଧିକାର କରିଥିଲା। ୨୦୦୮ରେ ମାତ୍ର ୧୪ ବର୍ଷରେ ରାଣୀ ଭାରତୀୟ ଦଳରେ ପଦାର୍ପଣ କରିଥିଲେ।

Share