Categories: ଖେଳ

କଳିଙ୍ଗରେ ହକି ସମରକ୍ୟାମ୍ପ

ଭୁବନେଶ୍ୱର, ୨୫ା୩ (କ୍ରୀଡ଼ା ପ୍ରତିନିଧି): ହକି ପ୍ରତି ଆଗ୍ରହ ରଖୁଥିବା କିମ୍ବା ଏହି ଖେଳକୁ କ୍ୟାରିୟର କରିବାକୁ ଚାହୁଁଥିବା ପିଲାମାନଙ୍କ ପାଇଁ ଏକ ଭଲ ଖବର। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଣ୍ଟରର ମିଳିତ ଉଦ୍ୟମରେ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସରେ ପିଲାମାନଙ୍କ ପାଇଁ ସମର କ୍ୟାମ୍ପ ଆୟୋଜନ ହେବାକୁ ଯାଉଛି। କ୍ୟାମ୍ପ ଏପ୍ରିଲ ୩ରୁ ୨୨ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ଅଭିଜ୍ଞ କୋଚ୍‌ମାନେ ଟ୍ରେନିଂ ଦେବେ। ୬ରୁ ୧୬ ବର୍ଷର ବାଳିକା ଓ ବାଳକମାନେ ଏହି କ୍ୟାମ୍ପରେ ପ୍ରଶିକ୍ଷଣ ନେଇପାରିବେ। ସକାଳ ୬ଟା ୩୦ରୁ ୮ଟା ଏବଂ ଅପରାହ୍ନ ୪ଟା ୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କ୍ୟାମ୍ପ ଚାଲିବ। ଏଥିପାଇଁ ଏଣ୍ଟ୍ରି ଫି’ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। କ୍ୟାମ୍ପରେ ହକି ସମ୍ପର୍କିତ ଜ୍ଞାନ ଦିଆଯିବା ସହିତ ପିଲାମାନଙ୍କ ଶାରୀରିକ ଦକ୍ଷତା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ଏହି କ୍ରମରେ ସେମାନଙ୍କୁ ସୁଇମିଂ ଶିଖାଯିବା ସହ ମେଣ୍ଟାଲ ଟ୍ରେନିଂ, ଷ୍ଟ୍ରେନ୍ଥ ଓ କଣ୍ଡିଶନିଂ ଏବଂ ଖାଦ୍ୟ ଓ ପାନୀୟ ସମ୍ପର୍କରେ ମଧ୍ୟ ଶିକ୍ଷା ଦିଆଯିବ। ସୁଇମିଂ ଦ୍ୱାରା ପିଲାମାନଙ୍କ ସହନଶକ୍ତି ବଢ଼ିବା ସହ ଓଭରଅଲ୍‌ ଫିଟ୍‌ନେସ ସ୍ତରରେ ଉନ୍ନତି ଆସିବ। ମେଣ୍ଟାଲ ଟ୍ରେନିଂ ଦ୍ୱାରା ଉଚ୍ଚସ୍ତରରେ କିପରି ସଫଳତା ହାସଲ କରିହେବ ତା’ ଉପରେ ଫୋକସ କରାଯିବ। ଷ୍ଟ୍ରେନ୍ଥ ଓ କଣ୍ଡିଶନିଂ ସେସନ ପିଲାମାନଙ୍କର ଶାରୀରିକ ଦକ୍ଷତା ଏବଂ ସ୍ପିଡ୍‌ ବଢ଼ାଇବାରେ ସହାୟକ ହେବ। ନ୍ୟୁଟ୍ରିଶନ ସେସନରେ ଉନ୍ନତ ପ୍ରଦର୍ଶନ ପାଇଁ କେଉଁ ଖାଦ୍ୟ ଓ ପାନୀୟ ଆବଶ୍ୟକ ତାହା ଶିକ୍ଷା ଦିଆଯିବ।

Share