Categories: ଜାତୀୟ

ନାବାଳିକାଙ୍କ ହାତ ଧରିବା, ନିଜ ଜିପ୍‌ ଖୋଲିବା ଯୌନ ଅପରାଧ ନୁହେଁ: ବମ୍ବେ ହାଇକୋର୍ଟ

ନାଗପୁର,୨୯।୧: ଜଣେ ନାବାଳିକାଙ୍କ ହାତ ଧରିବା ଓ ନିଜ ପ୍ୟାଣ୍ଟ୍‌ର ଜିପ୍‌ ଖୋଲିବା ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଅନୁଯାୟୀ ଯୌନ ଅପରାଧ କିମ୍ବା ଉତ୍ତେଜିତ ଯୌନ ଉତ୍ପୀଡ଼ନ ପରିସରରେ ଆସୁନାହିଁ ବୋଲି ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ କହିଛନ୍ତି। ବିଚାରପତି ପୁଷ୍କା ଗଣେଦିଓ୍ବାଲାଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଜାନୁୟାରୀ ୧୫ରେ ଏଭଳି ମତାମତ ଦେଇଛନ୍ତି। ୫ ବର୍ଷର ଶିଶୁକନ୍ୟା ପ୍ରତି ଯୌନ ଉତ୍ପୀଡ଼ନ ଓ ଅସଦାଚରଣ ମାମଲାରେ ସେସନ୍ସ କୋର୍ଟ ଜଣେ ୫୦ ବର୍ଷୀୟ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଅଭିଯୁକ୍ତ ଲିବ୍‌ନସ୍‌ କୁଜୁର୍‌ ଏହି ରାୟକୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ରେ ଚ୍ୟାଲେଞ୍ଜ କରିଥିଲେ।
ବିଚାରପତି ଗଣେଦିଓ୍ବାଲା ତାଙ୍କ ରାୟରେ କହିଛନ୍ତି, ଅଭିଯୁକ୍ତ ଯୌନ ଅତ୍ୟାଚାର କରିଥିବା ଓକିଲ ପ୍ରମାଣ କରିପାରି ନାହାନ୍ତି। ପୋକ୍ସୋ ଆଇନରେ ଯୌନ ଉତ୍ପୀଡନ ଅର୍ଥ ଯୌନକ୍ରିୟା ଉଦ୍ଦେଶ୍ୟ ସହ ଶାରୀରିକ ସ୍ପର୍ଶ । ତେଣୁ ନାବାଳିକାଙ୍କ ହାତ ଧରିବା ଓ ପ୍ୟାଣ୍ଟ ଜିପ୍‌ ଖୋଲିବା ଯୌନ ଉତ୍ପୀଡ଼ନ ସଂଜ୍ଞାକୁ ପୂରଣ କରୁନାହିଁ ବୋଲି ବିଚାରପତି କହିଥିଲେ। ସୂଚନାଯୋଗ୍ୟ, ଅନ୍ୟ ଏକ ରାୟରେ ବିଚାରପତି ଗଣେଦିଓ୍ବାଲା ଜଣେ ୩୯ ବର୍ଷୀୟ ଅଭିଯୁକ୍ତଙ୍କ ଦଣ୍ଡ କୋହଳ କରିଦେଇଥିଲେ। ଚର୍ମ ସ୍ପର୍ଶ ନ କରି ସ୍ତନ ଅଣ୍ଡାଳିବା ଯୌନ ଉତ୍ପୀଡ଼ନ ନୁହେଁ ବୋଲି ସେ ମତ ଦେଇଥିଲେ। ସୁପ୍ରିମକୋର୍ଟ ଉକ୍ତ ରାୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

Share