Categories: ଖେଳ

ଚର୍ଚ୍ଚାରେ ହୋଲ୍‌ଗର

ଅନ୍ତର୍ଜାତୀୟ ସ୍ତରରେ ଏବେ ଅନେକ ପ୍ରତିଭାସମ୍ପନ୍ନ ଟେନିସ ଖେଳାଳି ବିଶ୍ୱର ନାମୀଦାମୀ ଖେଳାଳିଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିବାରେ ଲାଗିଛନ୍ତି। ଏପରି କିଛି କରିସ୍ମା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି ଡେନମାର୍କର ହୋଲଗର ରୁନ୍‌। ରୋମରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ସେ ବିଶ୍ୱର ୨ ନମ୍ବର ଖେଳାଳି ନୋଭାକ୍‌ ଜୋକୋଭିଚ୍‌ଙ୍କୁ ହରାଇ ଦେଇଛନ୍ତି। ୨୦ ବର୍ଷୀୟ ରୁନ୍‌ ଟେନିସର ପ୍ରାୟ ପ୍ରତ୍ୟେକ ବିଭାଗରେ ବେଶ୍‌ ଦକ୍ଷ। ଶାରୀରିକଭାବେ ବେଶ୍‌ ଫିଟ୍‌ଥିବା ରୁନ୍‌ ଉଭୟ ଫୋର୍‌ହ୍ୟାଣ୍ଡ ଓ ବ୍ୟାକ୍‌ହ୍ୟାଣ୍ଡ ଶଟ୍‌ ଖେଳିବାରେ ମାହିର। ସମ୍ଭବତଃ ସେଥିପାଇଁ ଜୋକୋଭିଚ୍‌ଙ୍କ ଭଳି ଜଣେ ଚାମ୍ପିୟନ ଖେଳାଳି ତଥା ୨୨ଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜେତାଙ୍କୁ ସେ ୬ ମାସ ମଧ୍ୟରେ ୨ ଥର ହରାଇବାରେ ସକ୍ଷମ ହୋଇଛନ୍ତି। ୨୦୨୨ ନଭେମ୍ବରରେ ସେ ପ୍ୟାରିସ ମାଷ୍ଟର୍ସରେ ମଧ୍ୟ ଜୋକୋଭିଚ୍‌ଙ୍କୁ ପରାଜୟ ସ୍ବାଦ ଚଖାଇଥିଲେ। ରୁନ୍‌ଙ୍କ ଖେଳରେ ବେଶ୍‌ ପ୍ରଭାବିତ ହୋଇଛନ୍ତି ଜୋକୋଭିଚ୍‌। ”ସେ ଜଣେ ବହୁତ ଫାଷ୍ଟ, କ୍ୱିକ୍‌, ବିଚକ୍ଷଣ ପ୍ରତିଭାସମ୍ପନ୍ନ ଏବଂ ଅଲ୍‌ରାଉଣ୍ଡର“ ବୋଲି ଜୋକୋଭିଚ୍‌ ମତବ୍ୟକ୍ତ କରିଛନ୍ତି। ଟେନିସ ଜଗତରେ ବିଗ୍‌ ଥ୍ରୀ ସର୍ବିୟାର ଜୋକୋଭିଚ୍‌, ସ୍ପେନ୍‌ର ରାଫାଲ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରର ପାଖାପାଖି ୨ ଦଶନ୍ଧିଧରି ରାଜୁତି କରିଆସୁଛନ୍ତି। ମାତ୍ର ବୟସର ଛାପ ଏବଂ ଆହତ ସମସ୍ୟା ଏବେ ଅନ୍ୟ ପ୍ରତିଭାଧର ଖେଳାଳିଙ୍କ ପାଇଁ ବାଟ ଖୋଲିଦେଇଛି। ଆହତଥିବାରୁ ନାଡାଲ ରୋମ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ଫଳରେ ଦୀର୍ଘ ୧୯ ବର୍ଷରେ ପ୍ରଥମଥରପାଇଁ ରୋମ୍‌ ଟୁର୍ନାମେଣ୍ଟ ଫାଇନାଲରେ ନାଡାଲ କିମ୍ବା ଜୋକୋଭିଚ୍‌ଙ୍କୁ ଦେଖିବାକୁ ମିଳିବ ନାହିଁ। ନୂଆ ପିଢ଼ି ନିଜର ଉପସ୍ଥିତି ଜାହିର କରି ସାରିଛନ୍ତି। ୨୦ ବର୍ଷୀୟ ସ୍ପେନ୍‌ର କାର୍ଲୋସ ଆଲ୍‌କାରାଜ ବିଶ୍ୱର ନମ୍ବରଓ୍ବାନ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ଏହାକୁ ନିଜେ ଜୋକୋଭିଚ୍‌ ସ୍ବୀକାର କରିଛନ୍ତି।

Share