ଲସ ଆଞ୍ଜେଲସ,୧୯।୧୨: ଯେତେବେଳେ ଲୋକପ୍ରିୟ ହଲିଉଡ ତାରକାମାନଙ୍କ ବିଷୟରେ ଆଲୋଚନା ହୁଏ, ଟମ କ୍ରୁଜଙ୍କ ନାମ ନିଶ୍ଚିତ ଭାବରେ ଏହି ତାଲିକାରେ ଆସିଥାଏ। ସେ ନିଜେ ମୁଭିରେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ ପାଇଁ ଜଣାଶୁଣା। ଜଣେ ଆକ୍ସନ ଅଭିନେତା ଭାବରେ, ହଲିଉଡରେ ତାଙ୍କ ସହିତ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ନାହିଁ। ଆମେରିକାର ନୌସେନା ଦ୍ୱାରା ହଲିଉଡର ଏହି ପ୍ରସିଦ୍ଧ ଆକ୍ସନ ଷ୍ଟାରଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହା ପରେ ଅଭିନେତାଙ୍କୁ ନୌସେନା ସମ୍ବନ୍ଧୀୟ ପୁରସ୍କାର କାହିଁକି ଦିଆଗଲା ସେନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଥିଲା।
ଆକ୍ସନ ଷ୍ଟାର୍ ଟମ କ୍ରୁଜ ଫିଲ୍ମରେ ବହୁତ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖାଯାଏ। ପ୍ରେକ୍ଷାଳୟରେ ସେହି ଦୃଶ୍ୟଗୁଡିକ ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଥାଏ। ସର୍ବୋଚ୍ଚ ନାଗରିକ ପୁରସ୍କାର (ଟମ କ୍ରୁଜ ନୌସେନା ସମ୍ମାନ) ହେତୁ ଆଜିକାଲି ସେ ଲାଇମ ଲାଇଟକୁ ଆସିଛନ୍ତି। ବିଶେଷ କଥା ହେଉଛି ତାଙ୍କର କିଛି ପ୍ରସିଦ୍ଧ ମୁଭିରେ ତାଙ୍କ ଭୂମିକା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ସୋମବାର ଲଣ୍ଡନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟମ କ୍ରୁଜଙ୍କୁ ସମ୍ମାନିତ କରାଯାଇଥିଲା। ତାଙ୍କ ସମ୍ମାନିତ ଚଳଚ୍ଚିତ୍ର ଟପ ଗନ, ବର୍ନ ଅନ ଦ ଫୋର୍ଥ ଅଫ ଜୁଲାଇ, ଏ ଫ୍ୟୁ ଗୁଡ ମ୍ୟାନ ଏବଂ ମିଶନ ଇମ୍ପସିବଲ ଫ୍ରାଞ୍ଚାଇଜ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ଏହି ମୁଭି ମାଧ୍ୟମରେ ହଲିଉଡ ଅଭିନେତା ‘ନୌସେନା ଏବଂ ସାମୁଦ୍ରିକ ଦଳ’ରେ ବହୁତ ଅବଦାନ ରଖିଛନ୍ତି। ଏହି କାରଣରୁ ତାଙ୍କୁ ନୌସେନାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି।