ହାତ ତିଆରି ଖାଦ୍ୟର ହୋମ୍‌ ଡେଲିଭରି

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): କରୋନା ଲୋକଙ୍କ ଜୀବିକା ଛଡ଼ାଇ ନେଇଛି, ଆଉ ଅନେକଙ୍କୁ ନୂଆ ରାହା ବି ଦେଖାଇଛି। ବିଶେଷକରି ଯୁବବର୍ଗ ଘରେ ହାତବାନ୍ଧି ନ ବସି ଭିନ୍ନ ପନ୍ଥା ବି ଖୋଜି ପାଇଛନ୍ତି। ଲକ୍‌ଡାଉନ୍‌ରେ ରୋଜଗାର ହରାଇବା ପରେ ଅନନ୍ୟ ପ୍ରୟାସ ଆରମ୍ଭ କରିଛନ୍ତି ଭୁବନେଶ୍ୱରର କସ୍ତୁରୀ ପଟ୍ଟନାୟକ। ୩୪ବର୍ଷୀୟ ଏହି ଓଡ଼ିଆ ଝିଅ ଘରେ ଖାଦ୍ୟ ତିଆରି କରି ହୋମ୍‌ ଡେଲିଭରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
କସ୍ତୁରୀ ପୂର୍ବରୁ ସ୍ପିଚ୍‌ ଥେରାପି ଶିକ୍ଷା ଦେଉଥିଲେ। କରୋନା ମହାମାରୀ ଯୋଗୁ ଶିକ୍ଷାଦାନ ସହ ରୋଜଗାର ବନ୍ଦ ହୋଇଗଲା। ସେ ଆତ୍ମନିର୍ଭରଶୀଳ ହେବା ପାଇଁ ଚିନ୍ତା କଲେ। ସେହି ସମୟରେ ଲକ୍‌ଡାଉନ୍‌ ଯୋଗୁ ଲୋକେ ଖାଇବାରେ ନାନା ହଇରାଣ ହେଉଥିଲେ। ଧୀରେ ଧୀରେ ମଧ୍ୟ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡରର ଡିମାଣ୍ଡ୍‌ ବଢ଼ୁଥିଲା। ତେଣୁ ସେ ଘରେ ରୋଷେଇ କରି ଖାଦ୍ୟ ହୋମ୍‌ ଡେଲିଭରି ଆରମ୍ଭ କଲେ। ଗ୍ରାହକଙ୍କ ଅର୍ଡର ପାଇଁ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମରେ ‘ପେଟ ଫୁଲ୍‌’ ନାମରେ ଆପ୍‌ ଖୋଲିଲେ। ସେ ସକାଳ ହେବା ମାତ୍ରେ ବଜାର ଯାଇ ପରିବା, ମାଛ, ମାଂସ ଆଣି ଅର୍ଡର ମୁତାବକ ଘରେ ରୋଷେଇ କରନ୍ତି। ପରେ ତାହାକୁ ପ୍ୟାକ୍‌ କରି ସ୍କୁଟିରେ ଘର ଘର ବୁଲି ଅର୍ଡର ଡେଲିଭରି କରନ୍ତି। ଇତିମଧ୍ୟରେ କସ୍ତୁରୀଙ୍କର ଏହି ପ୍ରୟାସକୁ ୫ମାସ ବିତିଯାଇଛି। ତାଙ୍କ ହାତ ତିଆରି ଖାଦ୍ୟର ଭଲ ସ୍ବାଦ ଥିବାରୁ ଅର୍ଡର ମଧ୍ୟ ବଢ଼ିବାରେ ଲାଗିଛି। ଆରମ୍ଭରୁ ଗୋଟିଏ ଦୁଇଟି ଅର୍ଡର ଆସୁଥିବାବେଳେ ଏବେ ଦୈନିକ ୪୦ରୁ ଅଧିକ ଅର୍ଡର ଆସୁଛି। ଗ୍ରାହକଙ୍କଠାରୁ ଲଞ୍ଚ ପାଇଁ ସକାଳ ୮ଟା ଭିତରେ ଓ ଡିନର ପାଇଁ ଅପରାହ୍ନ ୪ଟା ଭିତରେ ଅର୍ଡର ରଖୁଛନ୍ତି। କିନ୍ତୁ ଯେଉଁମାନେ ପ୍ରତିଦିନ ଲଞ୍ଚ ଓ ଡିନର ନେଉଛନ୍ତି, ସେମାନଙ୍କ ପାଇଁ ମାସିକିଆ ପ୍ୟାକେଜ୍‌ର ବ୍ୟବସ୍ଥା କରିଛନ୍ତି କସ୍ତୁରୀ।
ଏ ନେଇ କସ୍ତୁରୀ କୁହନ୍ତି, ଲକ୍‌ଡାଉନ୍‌ ସମୟରେ ଘରେ ରହି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ସାଙ୍ଗମାନଙ୍କୁ ତା’ର ଫଟୋ ପଠାଇଲି। ଏହାକୁ ଦେଖି ସେମାନେ ବହୁତ ପ୍ରଶଂସା କରିବାରୁ ସେମାନଙ୍କୁ ପ୍ରଥମେ ମୋ ହାତରନ୍ଧା ଖାଦ୍ୟ ଖୁଆଇଲି। ବହୁତ ଟେଷ୍ଟି ବୋଲି ସେମାନେ କହିବା ସହିତ ମୋତେ ଉତ୍ସାହିତ କଲେ। ତା’ପରେ ମୋର ଜଣେ ଭାଇ ଓ ମୁଁ ମିଶି କରି ଖାଦ୍ୟ ହୋମ୍‌ ଡେଲିଭରି ଆରମ୍ଭ କଲୁ। ପ୍ରଥମେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବିଶେଷକରି ସବୁ ଅଞ୍ଚଳ ସହ ପରିଚିତ ନ ଥିବାରୁ ଗ୍ରାହକଙ୍କ ଘର ଖୋଜି ପାଇବା କଷ୍ଟ ହେଉଥିଲା। ଏବେ କିନ୍ତୁ ସମସ୍ୟା ଧୀରେ ଧୀରେ ଦୂର ହୋଇଛି। ଅର୍ଡର ବଢ଼ିବା ପରେ ମୋ ସହିତ ଜଣେ କୁକ୍‌ ଓ ଡେଲିଭରି ବୟଙ୍କୁ ମଧ୍ୟ ନିୟୋଜିତ କରିଛି। ବର୍ତ୍ତମାନ ମୁଁ ଏଥିରେ ଲାଭ ଚାହୁଁନି। ଲୋକଙ୍କ ପାଖରେ କିପରି ମୋ ଖାଦ୍ୟ ଠିକ୍‌ ସମୟରେ ଓ ଭଲ କ୍ୱାଲିଟି ତଥା ଟେଷ୍ଟି ଖାଦ୍ୟ ପହଞ୍ଚତ୍ବ, ତାହାକୁ ଗୁରୁତ୍ୱ ଦେଉଛି। ତେବେ ପରିବାରର ସହଯୋଗରେ ଏସବୁ ମୁଁ କରିପାରୁଛି। ଆଗକୁ ଏହାକୁ ବଢ଼ାଇ ମହିଳାମାନଙ୍କୁ ଏଥିରେ ସୁଯୋଗ ଦେବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

Share