Categories: ଜାତୀୟ

କଂଗ୍ରେସର କଳା ପୋଷାକ ପିନ୍ଧି ବିକ୍ଷୋଭକୁ ଭିନ୍ନ ରୂପ ଦେଲେ ଶାହା, ରାମ ମନ୍ଦିର ସହ ଯୋଡ଼ିଲେ

ନୂଆଦିଲ୍ଲୀ,୫।୮: କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ କରାଯାଇଥିବା ବିକ୍ଷୋଭକୁ ନେଇ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ କରାଯାଇଥିଲା। ଏଣୁ ଆଜିର ବିରୋଧ ଅନ୍ୟ କିଛି ନୁହେଁ ବରଂ ରାମ ଜନ୍ମଭୂମିକୁ ବିରୋଧ କରି କଂଗ୍ରେସ ଜାଣିଶୁଣି ‘କଳା ବିକ୍ଷୋଭ’ କରିଛି ବୋଲି ସେ କହିଛନ୍ତି।

ଶୁକ୍ରବାର ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ପକ୍ଷରୁ କୌଣସି ସମନ କରାଯାଇ ନ ଥିଲା। ଏହାସତ୍ତ୍ୱେ ବିକ୍ଷୋଭ କରାଯାଇଥିଲା। ସମସ୍ତେ କଳା ପୋଷାକ ପିନ୍ଧି ଆସିଥିଲେ। ଆଜିର ଦିନରେ ରାମ ଜନ୍ମଭୂମୀ ପାଇଁ ଶିଳାନ୍ୟାସ କରାଯାଇଥିଲା। ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହୋଇଥିଲା। ହେଲେ କଂଗ୍ରେସ ଖୁସି ନାହିଁ। ଏହା ରାମ ମନ୍ଦିର ବିରୋଧ ପାଇଁ କଳା ପୋଷାକ ପିନ୍ଧି ବିକ୍ଷୋଭ କରାଯାଇଛି ବୋଲି ସେ କହିଛନ୍ତି।

ସେହିଭଳି କଂଗ୍ରେସ ସର୍ବଦା ତୃଷ୍ଟିକରଣ ନୀତିକୁ ଆପଣାଉଛି। ହେଲେ ଏହା ବିଗତ ଦିନରେ ଦେଶପାଇଁ ନା ଭଲ ଥିଲା ନା ବର୍ତ୍ତମାନ ପାଇଁ ଭଲ। କଂଗ୍ରେସକୁ ଏହାର କ୍ଷତି ସହିବାକୁ ପଡ଼ିଛି। ଆଜିର ସ୍ଥିତି ତାର କାରଣ ବୋଲି ଶାହା କହିଛନ୍ତି।
ଏହାଛଡ଼ା ନ୍ୟାଶନାଲା ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରାଯାଉଛି। ଏହାକୁ ନେଇ ପ୍ରତିକ୍ରିୟା ରଖି ଶାହା କହିଛନ୍ତି, ସମସ୍ତଙ୍କୁ ଇଡିର ସମ୍ମାନ କରିବା ଉଚିତ। ସମସ୍ତଙ୍କୁ ଦେଶର ଆଇନ ମୁତାବକ କାମ କରିବା ଉଚିତ।

Share