ନୂଆଦିଲ୍ଲୀ,୨୧।୫: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାରରୁ ଅରୁଣାଚଳ ପ୍ରଦେଶକୁ ଦୁଇ ଦିନିଆ ଗସ୍ତରେ ଯିିବେ। ଯେଉଁଥିରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହ ମୂଳଦୁଆ ପକାଇବେ। ଶାହ ଲୋହିତ ଜିଲାର ୱାକ୍ରୋରେ ୫୧ଫୁଟ ଉଚ୍ଚର ଋଷି ପର୍ଶୁରାମଙ୍କ ମୂର୍ତ୍ତିର ମୂଳଦୁଆ ପକାଇବା ସହ ପ୍ରାୟ ୪୦ ଟି ପ୍ରକଳ୍ପର ଉଦ୍ଘାଟନ କରିବେ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିସହ ଶାହା ଚାଇନା-ଭାରତ ସୀମାରେ ଅଗ୍ରଗାମୀ ଅଞ୍ଚଳରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ସହିତ ଆଲୋଚନା କରିବେ। ଏହି ଅବସରରେ ଶାହା ନାଗରିକ ସମାଜ ସହିତ ମଧ୍ୟ କଥାବର୍ତ୍ତା କରିବେ ବୋଲି ଜଣାପଡ଼ିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଭାବେ ଅରୁଣାଚଳ ପ୍ରଦେଶର ଏହା ହେଉଛି ଶାହାଙ୍କର ଦ୍ୱିତୀୟ ଗସ୍ତ। ଏହାପୂର୍ବରୁ ସେ ଫେବୃଆରୀ ୨୦୨୦ରେ ଉତ୍ତର-ପୂର୍ବ ରାଜ୍ୟ ପରିଦର୍ଶନ କରି ୩୪ ତମ ରାଜ୍ୟ ଫାଉଣ୍ଡେସନ ଦିବସ ଉତ୍ସବରେ ଭାଗ ନେଇଥିଲେ। ସେହି ସମୟରେ ତାଙ୍କର ଏହି ଗସ୍ତକୁ ଚାଇନା କଡ଼ା ବିରୋଧ କରିଥିଲା।