Categories: ଜାତୀୟ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଜମ୍ମୁ-କଶ୍ମୀରରୁ ପ୍ରତ୍ୟାହାର ହେବେ ୧୦ ହଜାର ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୧୯।୮: କେନ୍ଦ୍ର ସରକାର କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରୁ ଅର୍ଦ୍ଧସୈନିକ ବଳର ପ୍ରାୟ ୧୦ ହଜାର ଯବାନଙ୍କୁ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବୁଧବାର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଘାଟିରେ ମୁତୟନ ହୋଇଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ(ସିଏପିଏଫ୍‌)ର ସମୀକ୍ଷା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି। ସିଏପିଏଫ୍‌ର ମୋଟ ୧୦୦ କମ୍ପାନୀକୁ ଘାଟିରୁ ତୁରନ୍ତ ପ୍ରତ୍ୟାହର କରାଯିବ ଏବଂ ଦେଶର ଅନ୍ୟ ସ୍ଥାନରେ ସେମାନଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଚଳିତ ସପ୍ତାହ ସୁଦ୍ଧା ସିଏପିଏଫର ମୋଟ ୪୦ କମ୍ପାନୀ ଏବଂ ସିଆଇଏସଏଫ, ବିଏସଏଫ ଓ ସଶସ୍ତ୍ର ସୀମା ବଳର ୨୦ କମ୍ପାନୀକୁ ପ୍ରତ୍ୟାହାର କରାଯିବ। ଗୋଟିଏ ସିଏପିଏଫ କମ୍ପାନୀରେ ପାଖାପାଖି ୧୦୦ ଯବାନ ରହିଥାନ୍ତି। ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ସମୟରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅର୍ଦ୍ଧସୈନିକ ବଳ ଯବାନଙ୍କୁ ଜମ୍ମୁ-କଶ୍ମୀର ଉପତ୍ୟକାରେ ନିୟୋଜିତ କରାଯାଇଥିଲା।

Share