ହୋମ୍‌ କ୍ୱାରାଣ୍ଟାଇନ୍‌ ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ

ଭୁବନେଶ୍ୱର, ୨୫ା୬(ବ୍ୟୁରୋ): ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ। ବୟସ୍କ ବ୍ୟକ୍ତିଙ୍କୁ କିପରି ସୁରକ୍ଷା ଦିଆଯିବ ସେ ବିଷୟରେ କହିବା ସହିତ ହୋମ୍‌ କ୍ୱାରାଣ୍ଟାଇନ ବା ଗୃହ ସଙ୍ଗରୋଧ ନିୟମ ଭାଙ୍ଗୁଥିବା ଲୋକଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି। ଗ୍ରାମାଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀମାନେ ନିୟମ ମାନିଛନ୍ତି। କିନ୍ତୁ ସହରାଞ୍ଚଳରେ ଗୃହ ସଙ୍ଗରୋଧ ସମସ୍ୟା ରହିଛି। ସେ କହିଲେ, ଓଡ଼ିଶାକୁ ଏବେ ୫ଲକ୍ଷ ୭୫ହଜାର ପ୍ରବାସୀ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳର, ଯେଉଁମାନେ ୬,୭୯୮ଟି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଅନେକ ଘରକୁ ଫେରିଥିବାବେଳେ ଆଉ କିଛି ରହିଛନ୍ତି। କାଁ ଭାଁ ଛାଡ଼ି ଦେଲେ ଏମାନେ ନିୟମ ମାନିଛନ୍ତି। କିନ୍ତୁ ସହରାଞ୍ଚଳରେ ଏଭଳି ସଙ୍ଗରୋଧ କେନ୍ଦ୍ର ଗଠନ କରିବା ସମ୍ଭବ ନୁହେଁ। ଏହାଛଡ଼ା ଅନେକ ଲୋକଙ୍କର ଅଲଗା ରହିବା ପାଇଁ ଜାଗା ଅଛି ଓ ସାମର୍ଥ୍ୟ ମଧ୍ୟ ରହିଛି। ସେଥିପାଇଁ ସରକାର ହୋମ୍‌ କ୍ୱାରାଣ୍ଟାଇନ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏହାକୁ ଅନେକ ପାଳନ କରୁନାହାନ୍ତି। ହୋମ୍‌ କ୍ୱାରାଣ୍ଟାଇନ୍‌ର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ। ହୋମ୍‌ କ୍ୱାରାଣ୍ଟାଇନ ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ। ନିୟମ ଭାଙ୍ଗି ପରିବାର ସଦସ୍ୟଙ୍କୁ ବିପଦରେ ପକାନ୍ତୁନି ବୋଲି ସେ କହିଛନ୍ତି। ଗୃହ ସଙ୍ଗରୋଧରେ ରହିଲେ ଅଲଗା ଘରେ ନିଜ କୋଠରିରେ ରହିବେ। ପରିବାରର ମାତ୍ର ଜଣେ ସଦସ୍ୟ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ କଥା ବୁଝିବେ। ଗୃହ ସଙ୍ଗରୋଧକୁ ପାରିବାରିକ ପୁନର୍ମିଳନ କଲେ ଭୟଙ୍କର ସ୍ଥିତି ଉପୁଜିବ। ବୟସ୍କ, ଶିଶୁ ଓ ଗର୍ଭବତୀଙ୍କ ଠାରୁ ଦୂରତ୍ୱ ଅବଲମ୍ବନ କରିବା ସହିତ ସାଙ୍ଗସାଥୀ, ବନ୍ଧୁ, କୁଟୁମ୍ବଙ୍କ ସାଙ୍ଗରେ ଦେଖା ନ ହେବା ପାଇଁ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।

Share