ଆଜ୍ମା ହେଉଛି ଏକ ଶ୍ୱାସଜନିତ ସମସ୍ୟା। ଏହା ଗୁରୁତର ଆକାର ଧାରଣ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଡମିଟ୍ ହୋଇ ଚିକିତ୍ସିତ ହେବାକୁ ପଡ଼ିଥାଏ। ତେବେ ଏପରି କେତେକ ଘରୋଇ ଉପଚାର ରହିଛି, ଯାହାକୁ ଅନୁସରଣ କରି ଜଣେ ବ୍ୟକ୍ତି ଏଥିରୁ କେତେକାଂଶରେ ଉପଶମ ଲାଭ କରିପାରିବ। ଜଣେ ଆଜ୍ମା ରୋଗୀ ନିଜ ଓଜନକୁ ସବୁବେଳେ ସନ୍ତୁଳିତ ରଖିବା ନିହାତି ଜରୁରୀ। ତେଣୁ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରଚୁର ପରିମାଣରେ ଫଳ ଓ ସବୁଜ ପନିପରିବା ଖାଆନ୍ତୁ। ଏଥିରେ ବିଟା-କାରୋଟିନ୍, ଭିଟାମିନ୍ ସି ଏବଂ ଇ ପରି ଆଣ୍ଟିଅକ୍ସିଡାଣ୍ଟ ଅଛି, ଯାହା ଶ୍ୱାସକ୍ରିୟାକୁ ଠିକ୍ ଭାବରେ ଚାଲିବାରେ ସାହାଯ୍ୟ କରେ। ଆଜ୍ମାରୁ ଉପଶମ ପାଇବା ପାଇଁ ଉଷୁମ ପାଣିରେ ମହୁ ମିଶାଇ ପିଇପାରନ୍ତି। ଏହାକୁ ହର୍ବାଲ ଚା’ରେ ମିଶାଇ ପିଇଲେ ତାହା ଆଜ୍ମା ରୋଗୀଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ। ନିୟମିତ ଯୋଗ କରିବା ଦ୍ୱାରା ଆପଣ ଫିଟ୍ ରହିବେ। ତା’ ସହ ଷ୍ଟ୍ରେଚିଂ ଓ ବ୍ରେଥିଂ ବ୍ୟାୟାମ କରିବା ଆଜ୍ମା ରୋଗୀଙ୍କ ପାଇଁ ଭଲ।