କଫ ସମସ୍ୟାର ଘରୋଇ ଉପଚାର

କଫଜନିତ ସମସ୍ୟା ଦେଖାଦେଲେ ଅବହେଳା କରନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ଏହା ଜଟିଳ ଆକାର ଧାରଣ କରିଥାଏ। ଏପରି କି ସେହି ସମୟରେ ହସ୍ପିଟାଲରେ ଆଡ୍‌ମିଶନ ହୋଇ ଏଥିପାଇଁ ଚିକିତ୍ସିତ ହେବାକୁ ପଡିଥାଏ। ତେବେ ଏଥିରୁ କେତେକାଂଶରେ ଉପଶମ ପାଇବା ଲାଗି ଆପଣ କେତୋଟି ଘରୋଇ ଉପଚାରକୁ ଆପଣେଇ ପାରନ୍ତି। ଅଧା କପ୍‌ ଉଷୁମ ପାଣିରେ ଏକ ଚାମଚ ହଦଳୀ ଗୁଣ୍ଡ, ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ଉଷୁମ କରି କିଛି ସମୟ ପରେ ସେବନ କଲେ କଫରୁ ଉପଶମ ମିଳିଥାଏ। ପ୍ରଥମେ ଅଦାକୁ ଭଲ ଭାବରେ ଛେଚି ଦିଅନ୍ତୁ। ତା’ପରେ ଏହାକୁ ପାଣିରେ ପକାଇ ଭଲ ଭାବରେ ଫୁଟାନ୍ତୁ। ଏହି ପାଣିକୁ ଛାଣି ଦିନକୁ ୩-୪ ଥର ପିଇଲେ ଏପରି ସମସ୍ୟାରୁ ଉପଶମ ମିଳିଥାଏ। ଦୁଇ ଚାମଚ ଲେମ୍ବୁ ରସରେ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ଉଷୁମ କରି ପିଅନ୍ତୁ। ଏହାଦ୍ୱାରା କଫଜନିତ ସମସ୍ୟାରୁ କେତେକାଂଶରେ ଉପଶମ ମିଳିବ।