ଗଣ୍ଠି ଯନ୍ତ୍ରଣାର ଘରୋଇ ଉପଚାର

ଶିଶୁ ଜନ୍ମପରେ ଶରୀରରେ କ୍ୟାଲ୍‌ସିଅମ୍‌ ଅଭାବ ହେଉ କିମ୍ବା ଘର ସାଙ୍ଗକୁ ଅଫିସ୍‌ କାମର ଚାପରେ ଅନେକ ମହିଳାଙ୍କଠାରେ ଗଣ୍ଠି ଯନ୍ତ୍ରଣା ଦେଖିବାକୁ ମିଳୁଛି; ଯାହାକୁ ରୋକିବା ଲାଗି ଅନେକେ ପେନ୍‌କିଲର ମଧ୍ୟ ବ୍ୟବହାର କରୁଛନ୍ତି। ହେଲେ ଏହାର ଅଧିକ ସେବନ ଅପରପକ୍ଷେ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଉପୁଯାଉଛି। ତେଣୁ ଗଣ୍ଠିଯନ୍ତ୍ରଣାକୁ କିଭଳି ଘରୋଇ ଉପାୟରେ
କମାଇପାରିବେ ଜାଣି ରଖନ୍ତୁ…

 

ଗଣ୍ଠି ଯନ୍ତ୍ରଣାରୁ ଉପଶମ ଦେବାରେ ରସୁଣ ବେଶ୍‌ ଉପକାରୀ। ଏହାକୁ ପେଷ୍ଟ କରି ମହୁ ମିଶାଇ ପ୍ରତିଦିନ ଖାଇବା ସମୟରେ ଏକ ଚାମଚ ଖାଇଲେ ଗଣ୍ଠି ଯନ୍ତ୍ରଣା କମିଥାଏ। ରସୁଣ ପେଷ୍ଟକୁ ତେଲରେ ମିଶାଇ ଗଣ୍ଠି ସ୍ଥାନରେ ମାଲିସ୍‌ କଲେ ମଧ୍ୟ ଉପଶମ ମିଳିଥାଏା

ଏକ ଗ୍ଲାସ୍‌ ଉଷୁମ କ୍ଷୀରରେ ଏକ ଚାମଚ ହଳଦୀ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାଇ ପିଇଲେ ବି ଯନ୍ତ୍ରଣା କମିଥାଏ।

ମେଥି ମଧ୍ୟ ଗଣ୍ଠିଯନ୍ତ୍ରଣା କମାଇବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ରାତିରେ ମେଥିକୁ ଭିଜାଇ ରଖି ସକାଳେ ଚୋବାଇ ଖାଇବା ଦ୍ବାରା ଯନ୍ତ୍ରଣା ଦୂର ହୋଇଥାଏ।
ପିଆଜରେ ସଲ୍‌ଫର୍‌ ଅଧିକ ପରିମାଣରେ ଭରି ରହିଛି। ଯାହାକି ଗଣ୍ଠିରେ ଯନ୍ତ୍ରଣା ସୃଷ୍ଟି କରୁଥିବା ଏଞ୍ଜାଇମ୍‌କୁ ନିୟନ୍ତ୍ରିତ କରିଥାଏ। ତେଣୁ ପ୍ରତିଦିନ ଖାଇବାରେ କଞ୍ଚା ପିଆଜକୁ ସାମିଲ କଲେ ଉପକୃତ ହେବେ।

ଅଣ୍ଟା ଯନ୍ତ୍ରଣା ଲାଗି କଷ୍ଟ ପାଉଥିଲେ ଦେଶୀ ଘିଅରେ ଶୁଣ୍ଠି ମିଶାଇ ଖାଇଲେ ଉପକୃତ ହେବେ। ନଡିଆ ତେଲ କିମ୍ବା ସୋରିଷ ତେଲରେ ରସୁଣ ପକାଇ ଗରମ କରି କିମ୍ବା ନଡିଆ ତେଲରେ କର୍ପୂର ମିଶାଇ ଗରମ କରି ଅଣ୍ଟାରେ ମାଲିସ୍‌ କଲେ ମଧ୍ୟ ଯନ୍ତ୍ରଣାରୁ ଉପଶମ ପାଇପାରିବେ।