Categories: ଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୯।୯: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଶୁକ୍ରବାର ୧୫ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କରିଛନ୍ତି। ବିହାର ପାଇଁ ବିନୋଦ ଟଓ୍ବଡେଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଥିବା ବେଳେ ହରିଶ୍‌ ଦ୍ୱିବେଦୀଙ୍କୁ ସହପ୍ରଭାରୀ କରାଯାଇଛି। ପାର୍ଲାମେଣ୍ଟ ବୋର୍ଡରେ ସ୍ଥାନ ପାଇଥିବା ଓମ୍‌ ମାଧୁରଙ୍କୁ ଛତିଶଗଡ଼ ଦାୟିତ୍ୱ ଦିଆଯାଇଛି। ସେହିପରି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ସାଂଗଠନିକ ଦାୟିତ୍ୱ ଦିଆଯିବା ସହ ହରିୟାଣା ପାଇଁ ଦଳର ପ୍ରଭାରୀ ନିଯୁକ୍ତ କରାଯାଇଛି। ତ୍ରିପୁରା ପ୍ରଭାରୀ ଥିବା ବିନୋଦ ଶଙ୍କରଙ୍କୁ ବଦଳାଯାଇ ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ନୋଏଡ଼ା ଏମ୍‌ପି ଡ. ମହୋଶ ଶର୍ମାଙ୍କୁ ପ୍ରଭାରୀ କରାଯାଇଛି।

ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ପଞ୍ଜାବ ଓ ଚଣ୍ଡିଗଡ଼ର ସାଂଗଠନିକ ଦାୟିତ୍ୱ ମିଳିଛି। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍‌ ତେଲଙ୍ଗାନା ପ୍ରଭାରୀ ଦାୟିତ୍ୱରେ ରହିବେ। ବିହାର ବିଧାନ ପରିଷଦ ସଦସ୍ୟ ମଙ୍ଗଳ ପାଣ୍ଡେଙ୍କୁ ପଶ୍ଚିମବଙ୍ଗର ନୂଆ ପ୍ରଭାରୀ କରାଯାଇଥିବାବେଳେ ସହପ୍ରଭାରୀ ଦାୟିତ୍ୱରେ ଅମିତ୍‌ ମାଲବ୍ୟ ରହିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ କେରଳ ପ୍ରଭାରୀ ରୂପେ ନିଯୁକ୍ତ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଅରୁଣ ସିଂ ପୂର୍ବଭଳି ରାଜସ୍ଥାନ ପ୍ରଭାରୀ ଦାୟିତ୍ୱରେ ରହିବେ। ଝାଡ଼ଖଣ୍ଡ ପାଇଁ ଭାଜପା ଦିଲୀପ ସାଇକିଆଙ୍କ ସ୍ଥାନରେ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଛି।

Share