କୋଇଲା ଚୋରା କାରବାରରେ କୋଟିପତି ହୋମଗାର୍ଡ

ଅନୁଗୋଳ ଅଫିସ,୨୭ା୫: ପୋଲିସ ଚାକିରିକୁ ଢାଲ କରି କୋଇଲା ଚୋରା କାରବାର କରୁଥିବା କଟକ ଜିଲା ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ କୁମାର ସାହୁଙ୍କୁ ଗିରଫ କରାଯାଇଛି। ଅନୁଗୋଳ ଜିଲା ନିଶା ଥାନା ପୋଲିସ ବୁଧବାର ରାତିରେ ତାଙ୍କୁ ଉଠାଇ ଆଣିଥିବା ବେଳେ ଗୁରୁବାର ଗିରଫ ପରେ କୋର୍ଟଚାଲାଣ କରିଛି। ତେବେ ହୋମଗାର୍ଡ ପ୍ରମୋଦ ଜଣେ କୋଟିପତି ଓ ତାଙ୍କର ଏକାଧିକ ଟ୍ରକ୍‌, ବସ୍‌, କାର୍‌ ରହିଥିବା ଜିଲାର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଏପ୍ରିଲ ୮ ତାରିଖରେ ଅନୁଗୋଳ ଜିଲା କଙ୍କରେଇରୁ ଏକ ଚୋରା କୋଇଲା ବୋଝେଇ ଟ୍ରକ୍‌ (ନଂ. ଓଆର୦୨ବିଏଲ-୧୦୪୭) କଟକ ଜିଲା ନରସିଂହପୁର ଅଭିମୁଖେ ଯାଉଥିବା ନିଶା ଥାନା ପୋଲିସକୁ ସୂଚନା ମିଳିଥିଲା। ବିଶ୍ୱସ୍ତ ସୂତ୍ରରୁ ଏହି ଖବର ମିଳିବା ପରେ ନିଶା ପୋଲିସ ଥାନା ସମ୍ମୁଖରେ ଜଗି ରହିଥିଲା। ଉକ୍ତ ଟ୍ରକ୍‌ ପହଞ୍ଚିବା ପରେ ତାହାକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ଟ୍ରକ୍‌ରେ ଚୋରା କୋଇଲା କାରବାର ହେଉଥିବା ଜଣାପଡ଼ିଥିଲା। ପୋଲିସ ଉକ୍ତ ଟ୍ରକ୍‌କୁ ଜବତ କରି ନଂ. ୫୬/୨୨ରେ ମାମଲା ରୁଜୁ କରିଥିଲା। ତେବେ ତଦନ୍ତ ବେଳେ ଏହି ଚୋରା କାରବାରର ମାଷ୍ଟରମାଇଣ୍ଡ ନରସିଂହପୁର ଥାନାର ହୋମଗାର୍ଡ ପ୍ରମୋଦ ବୋଲି ପୋଲିସକୁ ପ୍ରମାଣ ମିଳିଥିଲା। ଜବତ ଟ୍ରକ୍‌ ମଧ୍ୟ ତାଙ୍କ ନାମରେ ରହିଥିଲା। ତେଣୁ ପ୍ରମୋଦଙ୍କୁ ଧରିବା ପୂର୍ବରୁ ପୋଲିସ ଅଧିକ ପ୍ରମାଣ ଯୋଗାଡ଼ରେ ଲାଗିପଡ଼ିଥିଲା। ଏପରି କି ଉକ୍ତ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଅନ୍ୟ ୬ ଜଣଙ୍କୁ ଗିରଫ କରିବା ପରେ ପ୍ରମୋଦଙ୍କ ଉପରେ ଅଧିକ ନଜର ରଖିଥିଲା। ବୁଧବାର ରାତିରେ ପୋଲିସ ନରସିଂହପୁର ଯାଇ ପ୍ରମୋଦଙ୍କୁ ଉଠାଇ ଆଣିଥିଲା। ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିବା ନିଶା ପୋଲିସ କହିଛି।

Share