ବାରିପଦା ଅଫିସ,୨୩।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଘୁରି ବୁଲୁଥିବା ଅସହାୟ, ବାସହୀନ, ମାନସିକ ବିକୃତ ଓ ଦିବ୍ୟାଙ୍ଗମାନଙ୍କୁ ଥଇଥାନ କରାଯାଉନାହିଁ। ହାଡ଼ଭଙ୍ଗା ଶୀତରେ ସେମାନେ ରାସ୍ତା କଡ଼ରେ ପଡ଼ି ରହୁଛନ୍ତି। ଏନେଇ ଅଣରାଜନୈତିକ ସଙ୍ଗଠନ ଜାଗ ମୟୂରଭଞ୍ଜ ଜାଗର କର୍ମକର୍ତ୍ତାମାନେ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ସେମାନଙ୍କୁ ଥଇଥାନ କରା ନ ଗଲେ ଅଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ଜିଲାରେ ଏବେ ଅସହ୍ୟ ଶୀତ ଅନୁଭୁତ ହେଉଛି। ୧୦ ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ମଙ୍ଗଳବାର ପାରଦ ୭.୫ଡିଗ୍ରୀ ସେଲିସିୟସ ରହିଥିଲା। ପ୍ରବଳ ଶୀତ ଲହରୀ ଯୋଗୁ ଜିଲା ପ୍ରଶାସନ ୟଲୋ ୱାର୍ଣ୍ଣି ଜାରି କରି ଡାକବାଜି ଯନ୍ତ୍ର ଯୋଗେ ରାତି ସମୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ସଚେତନ କରୁଛି। ତେବେ ବାରିପଦା ସହରରେ ଥିବା ଅସହାୟ, ମାନସିକ ବିକୃତ ଓ ଦିବ୍ୟାଙ୍ଗମାନେ ଶୀତକଷ୍ଟରେ ଫୁଟପାଥରେ ଶୋଉଥିବା ନେଇ ସଙ୍ଗଠନ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ା ପ୍ରଶାସନ ପକ୍ଷରୁ ଦୁଇଟି ଆଶ୍ରୟସ୍ଥଳୀ ରହିଥିବା ବେଳେ ଅସହାୟମାନଙ୍କୁ ଥଇଥାନ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ବସଷ୍ଟାଣ୍ଡ, ରାସ୍ତାପାର୍ଶ୍ୱ, ଦୋକାନ ବାରଣ୍ଡା ଓ ଗଛମୂଳେ ଶୀତ କାକରରେ ସେମାନେ ପଡ଼ିରହୁଛନ୍ତି ା ପଡ଼ୋଶୀ ଜିଲା ଓ ରାଜ୍ୟରୁ ଆସୁଥିବା ବ୍ୟବସାୟୀମାନେ ସହରର ଆଶ୍ରୟସ୍ଥଳୀକୁ କବଜା କରି ରଖୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଅସହାୟଙ୍କ ସୁରକ୍ଷା ପାଇଁ ହେଉଥିବା କାର୍ଯ୍ୟକ୍ରମ କେବଳ କାଗଜକଲମରେ ଚାଲିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ସଙ୍ଗଠନର ପ୍ରତିଷ୍ଠାତା ଅରୁଣ କୁମାର ବେହେରା, ସୋନାଲୀ ପ୍ରିୟଦର୍ଶନୀ ବେହେରା ଓ ତପସ୍ବିନୀ ରଣା ପ୍ରମୁଖ ଜିଲାପାଳଙ୍କୁ ଭେଟିବା ପରେ ଖୁବଶୀଘ୍ର ଏକ ଟିମ୍ ପଠାଇ ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ ବୋଲି ଜିଲାପାଳ ଭରଦ୍ୱାଜ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।