ଘରୋଇ ଫେସ୍‌ ପ୍ୟାକ୍‌

ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜୀବନଶୈଳୀ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଆଦି କାରଣରୁ ତ୍ୱଚା ମଧ୍ୟ ପ୍ରଭାବିତ ହେଉଛି। ଏମିତିରେ ତ୍ୱଚାକୁ ସୁନ୍ଦର ଏବଂ ଫିଟ୍‌ ରଖିବାକୁ ବିଭିନ୍ନ ଘରୋଇ ଫେସ୍‌ ପ୍ୟାକ୍‌ ବ୍ୟବହାର କରିପାରିବେ। ଜାଣି ରଖନ୍ତୁ ବିଭିନ୍ନ ପ୍ୟାକ୍‌ ସମ୍ପର୍କରେ …

ଗାଜର- ଆଳୁ ପ୍ୟାକ୍‌: ଏହି ପ୍ୟାକ୍‌ ବ୍ରଣ, ଦାଗ, ଟ୍ୟାନ୍‌ ଏବଂ ରିଙ୍କଲ୍‌ ମାର୍କ ଭଳି ବିଭିନ୍ନ ସମସ୍ୟା ଦୂର କରିବାରେ ବେଶ୍‌ ସହାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଗୋଟିଏ ଲେଖାଏ ଗାଜର ଏବଂ ଆଳୁ ନେଇ ସିଝାଇ ଦିଅନ୍ତୁ। ଏହାକୁ ଥଣ୍ଡା କରି ବାଟି ଦିଅନ୍ତୁ। ଏଥିରେ ଏକ ଚାମଚ ମହୁ, ଅଧା ଚାମଚ ହଳଦୀ ଗୁଣ୍ଡ, ଅଧା ଚାମଚ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ମୁହଁ ଏବଂ ବେକକୁ ଭଲ ଭାବେ ପୋଛି ଏହି ପ୍ୟାକ୍‌ ଲଗାନ୍ତୁ। ୩୦ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହି ପ୍ୟାକ୍‌ ବ୍ୟବହାର କଲେ ଉପକୃତ ହୋଇପାରିବେ।
ନିମ୍ବ, ତୁଳସୀ ଏବଂ ହଳଦୀ ପ୍ୟାକ୍‌: ତ୍ୱଚାର ବିଭିନ୍ନ ସମସ୍ୟା ଦୂର କରିବା ଲାଗି ଏହି ପ୍ୟାକ୍‌ ସର୍ବୋତ୍ତମ। କାରଣ ଏହା ଏକ ଆୟୁର୍ବେଦିକ ଉପଚାର। ସ୍କିନ୍‌ ଏଜିଂ ଦୂର କରିବାରେ ବି ଏହା ଲାଭଦାୟକ। ଏହାକୁ ପ୍ରସ୍ତୁତ କରିବା ଲାଗି ୪ଟି ଲେଖାଏ ତୁଳସୀ ଏବଂ ନିମ୍ବ ପତ୍ର, ଏକ ଚାମଚ ଲେଖାଏ ହଳଦୀ ଗୁଣ୍ଡ ଏବଂ ଦହି ନେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁ ଏବଂ ବେକରେ ଲଗାଇ ଦିଅନ୍ତୁ। ପ୍ୟାକ୍‌ ଶୁଖିବା ପରେ ପାଣିରେ ଧୀରେ ଧୀରେ ଘଷି ଛଡ଼ାନ୍ତୁ। ଦିନେ ଛଡ଼ା ଦିନେ କିମ୍ବା ସପ୍ତାହରେ ୨-୩ ଥର ଏହାକୁ ବ୍ୟବହାର କଲେ ତ୍ୱଚାର ସମସ୍ତ ସମସ୍ୟା ଦୂର ହୋଇପାରିବ।
ଟମାଟୋ ଏବଂ ମୁଲତାନୀ ମାଟି ପ୍ୟାକ୍‌: ସୂର୍ଯ୍ୟ କିରଣରେ କଳା ପଡ଼ିଥିବା ବା ଟ୍ୟାନ୍‌ ହୋଇଥିବା ତ୍ୱଚାକୁ ପୁନର୍ବାର ଗୋରା କରିବା ଲାଗି ଏହି ପ୍ୟାକ୍‌ ଭଲ କାମ କରିଥାଏ। ଏହାକୁ ପ୍ରସ୍ତୁତ କରିବା ଲାଗି ଏକ ଚାମଚ ମୁଲତାନୀ ମାଟିରେ ଦୁଇ ଚାମଚ ଟମାଟୋ ଜୁସ୍‌ ମିଶାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ମୁହଁରେ ଲଗାନ୍ତୁ। ପ୍ୟାକ୍‌ ଶୁଖିଯିବା ପରେ ପାଣିରେ ଅଙ୍ଗୁଳି ସାହାଯ୍ୟରେ ଧୀରେ ଧୀରେ ଘଷି ଧୋଇଦିଅନ୍ତୁ। ମନେରଖନ୍ତୁ ମୁହଁକୁ କେବେ ରଗଡ଼ନ୍ତୁ ନାହିଁ ନଚେତ୍‌ ତ୍ୱଚା ଡ୍ରାଏ ହୋଇଯିବ।