ପୁରୀ ଅଫିସ,୨୬ା୮: ଏଣିକି ଶ୍ରୀମନ୍ଦିର ସେବାୟତଙ୍କୁ ଘର ମିଳିବ। ପ୍ରାଥମିକ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ଘର ମିଳିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର। ପ୍ରତି ସେବାୟତଙ୍କୁ ଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ସେବାୟତ ଚାହିଁଲେ ନିଜ ଖର୍ଚ୍ଚରେ ମଧ୍ୟ ଘରକୁ ଆହୁରି ବଢାଇ ପାରିବେ । ପରିବାର ପିଛା ୬ ଶହ ବର୍ଗଫୁଟ ଜମି ମିଳିବ । ୮ ଏକର ଜମିରେ ଘର ନିର୍ମାଣ ହେବ।
ସେହିଭଳି ପୁରୀରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ନିଷ୍ପତ୍ତି ନିଆଯାଇଛି। ପରିଚାଳନା କମିଟି ଅଧୀନରେ ଏକ ସୋସାଇଟି ଗଠନ ହେବ। ଶ୍ରୀମନ୍ଦିର ଗୁରୁକୁଳ ଫଣ୍ଡ୍ ଗଠନ ହେବ। ଏହି ଫଣ୍ଡ୍ ମାଧ୍ୟମରେ ଗୁରୁକୁଳର ବିକାଶ ହେବ। ସୋସାଇଟିର ଚେୟାରମ୍ୟାନ୍ ଗଜପତି ମହାରାଜା ରହିବେ। ଆଦର୍ଶ ଗୁରୁକୁଳ ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏଥିରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ।