ଅଚଳାବସ୍ଥାରେ ହୋମିଓପାଥିକ ଡାକ୍ତରଖାନା

ଖଇରା,୧୪ ।୧୧: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଡପୋଖରୀଠାରେ ଥିବା ସରକାରୀ ହୋମିଓପାଥିକ ଡାକ୍ତରଖାନାରେ ଗତ ୯ମାସ ଧରି ଅଚଳାବସ୍ଥା ଲାଗି ରହିଛି। ଡାକ୍ତର ଅନୁପସ୍ଥିତ ରହୁଥିବା ବେଳେ ପିଅନ କାଁ ଭାଁ କାର୍ଯ୍ୟାଳୟ ଖୋଲି ନିଜର ଉପସ୍ଥାନ ପକାଇ ଘରକୁ ପଳାଉଛନ୍ତି। ଦିନେ ଖଇରା ତଥା ଏହା ସଂଲଗ୍ନ ଔପଦା ସିମୁଳିଆ, ଆଗରପଡା ଆଦି ଅଞ୍ଚଳର ରୋଗୀଙ୍କ ଆସ୍ଥାଭାଜନ ଲାଭ କରିଥିବା ଏହି ଡାକ୍ତରଖାନା ଭୂତକୋଠି ପାଲଟିଲାଣି । ଦେଢବର୍ଷ ତଳେ ରୋଗ ଦେଖାଇବାକୁ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡିରେ ଅପେକ୍ଷା କରୁଥିବା ବେଳେ ଏବେ ଡାକ୍ତରଖାନା ପରିସରରେ ଶ୍ମଶାନର ନୀରବତା । ତୁରନ୍ତ ଡାକ୍ତରଙ୍କୁ ପୁନଶ୍ଚ ତାଙ୍କ ପଦବୀରେ ଅବସ୍ଥାପିତ କରା ନ ଗଲେ ସମୂହ ଗଡପୋଖରୀ ପଞ୍ଚାୟତବାସୀଙ୍କୁ ନେଇ ଅନଶନରେ ବସିବାକୁ ସମିତିସଭ୍ୟା ସଞ୍ଜୁଶ୍ରୀ ବାରିକ ଚେତାବନୀ ଦେଇଛନ୍ତି ।
୧୯୭୫ରେ ପ୍ରତିଷ୍ଠା ଲାଭ କରିଥିବା ଏହି ଡାକ୍ତରଖାନା ୩ଜିଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରର ମଧ୍ୟସ୍ଥଳରେ ହୋଇଥିବାରୁ ରୋଗୀମାନେ ମୁଖ୍ୟତଃ ଚିକିତ୍ସା ପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏଠାରେ ଡାକ୍ତର ଭାବେ କାର୍ଯ୍ୟରତ ବ୍ରଜେନ୍ଦ୍ର ନାୟକ ୨୦୧୯ ଫେବୃୟାରୀରେ ଅବସର ନେବା ପୂର୍ବରୁ ଦୈନିକ ୧ଶହରୁ ଊର୍ଦ୍ଧ୍ୱ ଲୋକ ଦୂରଦୂରାନ୍ତରୁ ରୋଗ ଦେଖାଇବାକୁ ଆସୁଥିଲେ। ହେଲେ ତା’ପରଠାରୁ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ସାଂଘାତିକ ହୋଇପଡିଛି । ନାୟକଙ୍କ ଅବସର ପରେ ବାହାନଗା ଅଞ୍ଚଳରୁ ଡାକ୍ତର ଶୁଭ୍ରାଂଶୁ ଶେଖର ସେଠୀଙ୍କୁ ଏଠାରେ ୨ଦିନ ପାଇଁ ଡେପୁଟେଶନରେ ନିଯୁକ୍ତ କରାଯାଇଥିଲା । ରୋଗୀସଂଖ୍ୟା ଆଶାତୀତ ଭାବେ କମିଥିଲେ ହେଁ ଆଖପାଖ ଗ୍ରାମବାସୀ ରୋଗ ଦେଖାଇବାକୁ ସକ୍ଷମ ହୋଇପାରୁଥିଲେ। ହେଲେ କରୋନା ମହାମାରୀ କାୟାବିସ୍ତାର କରିବା ବେଳକୁ ଏହା ଅଞ୍ଚଳବାସୀଙ୍କ ଉପରେ ବୋଝ ଉପରେ ନଳିତାବିଡା ସାଜିଥିଲା। ମାର୍ଚ୍ଚରୁ ନିଯୁକ୍ତ ଡାକ୍ତରଙ୍କର ଆସିବା ବନ୍ଦ ହୋଇ ଯାଇଥିବାରୁ ରୋଗୀମାନଙ୍କର ରୋଗ ଦେଖାଇବା ଆଶା ଧୂଳିସାତ ହୋଇଯାଇଛି । କରୋନା ସମୟରେ ଡାକ୍ତରଙ୍କ ଆବଶ୍ୟକତା ସମୟରେ ଡାକ୍ତରଙ୍କୁ କୋଭିଡ ଦାୟିତ୍ୱରେ ଅନ୍ୟତ୍ର ନିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଗଡପୋଖରୀ ଗ୍ରାମର ବଂଶୀଧର ପଣ୍ଡା, ତପନ ଦଳେଇ, ମଦନ ପଣ୍ଡା, ବିପଦ ଦାସ ପ୍ରମୁଖ ପ୍ରକାଶ କରିଛନ୍ତି । ଡାକ୍ତରଙ୍କ ଅନୁପସ୍ଥିତ ସାଙ୍ଗକୁ ନଳକୂପ ମଧ୍ୟ ଅଚଳ ହୋଇପଡିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଡାକ୍ତର ସେଠୀଙ୍କୁ ପଚରାଯିବାରୁ ମାର୍ଚ୍ଚରୁ ତାଙ୍କୁ ଗୋପାଳପୁରରେ କୋଭିଡ ଦାୟିତ୍ୱରେ ରଖାଯାଇଥିବାରୁ ସେ ଆଉ ଗଡପୋଖରୀ ଯାଇ ନ ଥିବା କହିଛନ୍ତି।

 

ଉତ୍କଳବନ୍ଧୁ ପଣ୍ଡା

Share