ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ: ପୋପ୍‌

ଭାଟିକାନ୍‌ ସିଟି,୨୬।୧: ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ପୋପ୍‌ ଫ୍ରାନ୍ସିସ କହିଛନ୍ତି। ଈଶ୍ୱର ତାଙ୍କ ପ୍ରତ୍ୟେକ ପିଲାଙ୍କୁ ସ୍ନେହ କରନ୍ତି। ବିଶ୍ୱର ଅନେକ ସ୍ଥାନରେ କ୍ୟାଥୋଲିକ୍‌ ବିଶପ ସମଲିଙ୍ଗୀଙ୍କୁ ଚର୍ଚ୍ଚରେ ପ୍ରବେଶ ଲାଗି ଅନୁମତି ଦେଉଥିବାବେଳେ ଆଉ କିଛି ସ୍ଥାନରେ ଏହାର ଘୋର ବିରୋଧ କରୁଛନ୍ତି। ସମଲିଙ୍ଗୀ ସମ୍ପର୍କକୁ ଗ୍ରହଣ କରିବା ଲାଗି ବଶପ ନିଜ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ପୋପ୍‌ କହିଛନ୍ତି।
ବିଶ୍ୱରେ ପାଖାପାଖି ୬୭ ଦେଶରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଭାବେ ବିବେଚନା କରାଯାଇଛି। ଏଥିମଧ୍ୟରୁ ୧୧ ଦେଶରେ ସମଲିଙ୍ଗୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଉଛି। ଆଉ କିଛି ଦେଶରେ ସମଲିଙ୍ଗୀ ସମ୍ପର୍କକୁ ଅତି ନିମ୍ନ ନଜରରେ ଦେଖାଯାଉଛି। ଏ ପ୍ରକାର ପ୍ରଥାକୁ ବନ୍ଦ କରିବା ଦିଗରେ କ୍ୟାଥୋଲିକ୍‌ ଚର୍ଚ୍ଚ କାର୍ଯ୍ୟ କରିବା ଜରୁରୀ ଏବଂ ଏଥି ପାଇଁ ସେ ପଦକ୍ଷେପ ନେଇପାରିବ ବୋଲି ପୋପ୍‌ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ସମଲିଙ୍ଗୀଙ୍କୁ ସାଦରେ ଗ୍ରହଣ କରିବା ସାଙ୍ଗକୁ ସେମାନଙ୍କ ପ୍ରତି କରାଯାଉଥିବା ଅତ୍ୟାଚାର ରୋକାଯିବା ଆବଶ୍ୟକ।

Share