ଯାଜପୁର ଟାଉନ,୩୧।୮(ଡି.ଏନ.ଏ): ଛାତ୍ରଙ୍କୁ ସମଲିଙ୍ଗୀ ଯୌନ ସମ୍ପର୍କ ପାଇଁ ନିବେଦନ କରି ଗିରଫ ହୋଇଛନ୍ତି ଜଣେ ଅଧ୍ୟାପକ। ସେ ହେଲେ ସ୍ଥାନୀୟ ଏକ କଲେଜର ରାଜନୀତି ବିଜ୍ଞାନ ମୁଖ୍ୟ ଅଧ୍ୟାପକ ନିରଞ୍ଜନ ପଣ୍ଡା। ଅଧ୍ୟାପକ ଜଣକ ବିଭିନ୍ନ ଛାତ୍ରଙ୍କୁ ଫୋନ୍, ହ୍ବାଟ୍ସଆପ୍ ମାଧ୍ୟମରେ ରୁମକୁ ଡକାଇଥାନ୍ତି। ରାତିରେ ସେମାନଙ୍କୁ ତାଙ୍କ ରୁମ୍ରେ ରହିବା ପାଇଁ କହିବା ସହ ସମଲିଙ୍ଗୀ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରିଥାନ୍ତି। ଅମାନ୍ୟ ହେଲେ ପରୀକ୍ଷାରେ ମାର୍କ କମାଇ ଦେବାର ଧମକ ଦେଇଥାନ୍ତି। ଗତବର୍ଷ ଜଣେ ଛାତ୍ରଙ୍କ ସହ ସମଲିଙ୍ଗୀ ଯୌନ ସମ୍ପର୍କ ରଖିବା ପାଇଁ ନିବେଦନ କରିଥିବା ଅଡିଓ ଭାଇରାଲ୍ ହୋଇଥିଲା। ଏହାପରେ ଥାନାରେ ଅଭିଯୋଗ ହୋଇଥିଲା। ଆପୋସ ବୁଝାମଣା କରି ଅଧ୍ୟାପକ ଜଣକ ଖସିଯାଇଥିଲେ। ପୁଣି ସୋମବାର ଜଣେ ଛାତ୍ର ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଅଧ୍ୟାପକ ପଣ୍ଡାଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଆଇପିସି ଦଫା ୨୯୪, ୩୫୪ (ବି) ଓ ୫୦୬ ଅନୁଯାୟୀ ମାମଲା (ନଂ.୩୧୧/୨୧) ରୁଜୁ ହୋଇଛି। ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ର କହିଛନ୍ତି।