Categories: ବାଣିଜ୍ୟ

ହୋଣ୍ଡାର ନ୍ୟୁ ଓ୍ବାର୍ଲଡ ଏସ୍‌ୟୁଭି ‘ଏଲିଭେଟ୍‌’ ଉନ୍ମୋଚିତ

ନୂଆଦିଲ୍ଲୀ,୭।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ କାର ନିର୍ମାତା ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ନ୍ୟୁ ଓ୍ବାର୍ଲଡ ଏସ୍‌ୟୁଭି ‘ଏଲିଭେଟ୍‌’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ହୋଣ୍ଡା ପକ୍ଷରୁ ଆୟୋଜିତ ଓ୍ବାର୍ଲଡ ପ୍ରିମିୟମର କାର୍ଯ୍ୟକ୍ରମରେ ହୋଣ୍ଡାର ଉକ୍ତ ମଡେଲର ଶୁଭାରମ୍ଭ (ଲଞ୍ଚ) କରାଯାଇଛି। ଏପରିକି ଚଳିତ ବର୍ଷ ପାର୍ବଣଋତୁରେ ଏହାର ବଜାର ପ୍ରବେଶ ନେଇ ଯୋଜନା କରାଯାଇଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ହୋଣ୍ଡାର ଏହି ନୂତନ ମଡେଲ ‘ଏଲିଭେଟ୍‌’ର ନିର୍ମାଣ ଏବଂ ବିକ୍ରୟ ଭାରତ ଜରିଆରେ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ବିଶ୍ୱସ୍ତରରେ ଏଭଳି କାର୍ଯ୍ୟ କରିବାରେ ଭାରତ ପ୍ରଥମ ଦେଶ ହେବ। ଘରୋଇ ବଜାରରେ ଏଲିଭେଟ୍‌ର ପ୍ରାରମ୍ଭିକ ପ୍ରବେଶ ଉପରେ ଧ୍ୟାନ ଦିଆଯାଇଥିବା ବେଳେ ବୈଶ୍ୱିକ ସ୍ତରରେ ଏସ୍‌ୟୁଭିର ପ୍ରବଳ ଚାହିଦା ପୂରଣ କରିବା ପାଇଁ ବିଶ୍ୱର ଅନ୍ୟ ଭାଗରେ ମଧ୍ୟ ଏହି ମଡେଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରପ୍ତାନି ହବ୍‌ ଭାବେ ଭାରତ କାର୍ଯ୍ୟ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି।
ସୂଚନାଯୋଗ୍ୟ, ଥାଇଲାଣ୍ଡରେ ଅବସ୍ଥିତ ହୋଣ୍ଡା ଆର୍‌ ଆଣ୍ଡ ଡି ଏସିଆ ପ୍ୟାସିଫିକ କେନ୍ଦ୍ର ଦ୍ୱାରା ସମ୍ପୂର୍ଣ୍ଣ ନୂତନ ଏଲିଭେଟ୍‌ ବିକଶିତ ହୋଇଛି। ଏ ସମ୍ପର୍କରେ ହୋଣ୍ଡା ମୋଟର କମ୍ପାନୀ ଲିମିଟେଡ୍‌ର ଆଞ୍ଚଳିକ ୟୁନିଟ୍‌ (ଏସିଆ ଏବଂ ଓସେନିଆ)ର ମୁଖ୍ୟ ତଥା ଏସୀୟ ହୋଣ୍ଡା ମୋଟର କମ୍ପାନୀ ଲିମିଟେଡ୍‌ର ଅଧ୍ୟକ୍ଷ ଏବଂ ସିଇଓ ତୋଷିଓ କୁୱାହାରା କହିଛନ୍ତି, ଭାରତ ବିଶ୍ୱର ୩ୟ ବୃହତମ ଅଟୋମୋଟିଭ ବଜାର ହୋଇଥିବାରୁ ହୋଣ୍ଡା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହିଭଳି କ୍ରମାଗତ ଭାବେ ଭାରତରୁ ପୃଥିବୀର ବିଭିନ୍ନ ଅଞ୍ଚଳକୁ ରପ୍ତାନି ବୃଦ୍ଧି ପାଉଛି। ସେହିପରି ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ଏବଂ ସିଇଓ ତାକୁୟା ସୁମୁରା କହିଥିଲେ, ସମ୍ପୂର୍ଣ୍ଣ ନୂତନ ଏଲିଭେଟ୍‌ର ଉନ୍ମୋଚନ ସହିତ ଆମେ ଭାରତରେ କ୍ଷିପ୍ର ଗତିରେ ବଢୁଥିବା ଏସ୍‌ୟୁଭି ସେଗ୍‌ମେଣ୍ଟରେ ହୋଣ୍ଡାର ଶକ୍ତିଶାଳୀ ଉପତ୍ାଦ ଯାଚନା ସହିତ ଏକ ନୂତନ ଯାତ୍ରା ଆରମ୍ଭ କରିଛୁ।

Share