ମହୁ ଲଠାରେ ଭୋକ ମେଣ୍ଟୁଛି

କାଳିଆପାଣି,୮ା୪(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକ୍‌ ଅଧୀନ କଆଁସ ପଞ୍ଚାୟତ ବିଟ ସାହି ମହ୍ଲାର ବସ୍ତିର ଜନଜାତି ପରିବାର ବହୁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ସରକାର ଗରିବ ଓ ଅସହାୟଙ୍କ ପାଇଁ ବହୁ ଯୋଜନା କରିଛନ୍ତି। ମାତ୍ର ପ୍ରଶାସନିକ ଅବହେଳା ଯୋଗୁ ଏସବୁ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରୁନି। ଏପରି କି ସରକାରଙ୍କ ମୌଳିକ ଅଧିକାରରେ ଉପଲବ୍ଧ ସୁବିଧା ମଧ୍ୟ ମିଳିପାରୁନି। ଫଳରେ ପେଟର ଭୋକ ମେଣ୍ଟେଇବାକୁ ଜଙ୍ଗଲରେ ମିଳୁଥିବା ମହୁ ଲଠା ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଦୁଇ ଓଳି ଭାତ ଖାଇବାକୁ ମିଳୁ ନ ଥିବାରୁ ଜଙ୍ଗଲରୁ ସଂଗ୍ରହ ହେଉଥିବା କନ୍ଦା, ଖଜୁରି କନ୍ଦା, ପିତା ଆଳୁ ସହ ମହୁ ଲଠାରେ ଏମାନେ ଭୋକ ମେଣ୍ଟାଉଛନ୍ତି। ଘର କହିଲେ ଝାଟି ଓ କାଠରେ ଘେରା ଏକ କଳା ପଲିଥିନର ତିନିକଣିଆ ପଲା କୋଠରି। ଏହି ପଲା କୋଠରିରେ ଅତି ଦୟନୀୟ ଅବସ୍ଥାରେ ୧୨ ପରିବାର ବସବାସ କରୁଛନ୍ତି। ବହୁ ସମୟରେ ଗଣମାଧ୍ୟମରେ ମହ୍ଲାରମାନଙ୍କ ସମସ୍ୟା ସମ୍ପର୍କରେ ଖବର ପ୍ରକାଶିତ ହେଉଥିଲେ ବି ସେମାନଙ୍କ ସମସ୍ୟା ସମାଧାନ ହୋଇ ପାରୁନାହିଁ।
୨୦୨୦ରେ ଖବର ପ୍ରକାଶ ପରେ ଟାଟା ଷ୍ଟିଲ କମ୍ପାନୀ ପକ୍ଷରୁ ଘର ଛପର ପାଇଁ ସେମାନଙ୍କୁ ପଲିଥିନ ଯୋଗାଇ ଦିଆଯାଇଥିଲା। ସେ ସମୟରେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ମଲ୍ଲାର ବସ୍ତିକୁ ଯାଇ ଘର ଓ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଘର ମିଳିବା ସ୍ବପ୍ନ ହୋଇ ରହିଯାଇଛି। ପୂର୍ବତନ ସରପଞ୍ଚ ରବୀନ୍ଦ୍ର ସାହୁ ସମସ୍ତ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଚେଷ୍ଟା କରିଥିବାବେଳେ ୪ ଜଣ ସାମିଲ ହୋଇ ପାରିଥିଲେ। ଅନ୍ୟମାନେ ଅଦ୍ୟାବଧି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ଜଙ୍ଗଲ ସଂଲଗ୍ନରେ ବସ୍ତି କରି ସେମାନେ ରହୁଥିଲେ ମଧ୍ୟ ଜଙ୍ଗଲ ଜମି ଅଧିକାର ଆଇନରେ ଜମି ପଟ୍ଟା ମିଳି ପାରୁନାହିଁ। ମହ୍ଲାରଙ୍କ ସମସ୍ୟା ଉପରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ପୂର୍ବତନ ସରପଞ୍ଚ ସାହୁ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସୁକିନ୍ଦା ବିଡିଓ ଅଭିଷେକ ସ୍ବାଇଁଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ ଗ୍ରହଣ କରି ନ ଥିଲେ।