ଚୁମ୍ବନକୁ ନେଇ ଚର୍ଚ୍ଚାରେ ହନି ସିଂ

ମୁମ୍ବାଇ: ଗାୟକ ତଥା ରାପର ହନି ସିଂଙ୍କ ବିବାହ ବିଚ୍ଛେଦ ହୋଇସାରିଛି। ଏହା ପରେ ତାଙ୍କ ଜୀବନକୁ ନୂଆ ପ୍ରେମିକା ଆସିଯାଇଛନ୍ତି। ତାଙ୍କର ନୂଆ ପ୍ରେମିକା ଟିନା ଥଡାନୀଙ୍କ ସହ ହନି ଏକାଠି ନଜର ଆସୁଥିବା ଦେଖିବାକୁ ମିଳୁଛି। ଟିନାଙ୍କ ସହ ନୂଆବର୍ଷ ପାଳନ କରିଥିଲେ ହନି। ହନି ତାଙ୍କ ପ୍ରଶଂସକମାନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଟିନାଙ୍କ ସହ ଏକ ରୋମାଣ୍ଟିକ ଭିଡିଓ ଶେୟାର କରିଥିଲେ।

ଭିଡିଓରେ ହନି ଟିନାଙ୍କ ପାଇଁ ରୋମାଣ୍ଟିକ ଗୀତ ‘ମେରି ଜାନ.. ମିଠା ପାନ’ ଗାଉଥିବା ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମରେ ଟିନାଙ୍କ ସହ ଭିଡିଓ ଶେୟାର କରି ହନି କ୍ୟାପଶନ ଲେଖିଛନ୍ତି, ‘ସବୁ ପ୍ରେମୀଙ୍କୁ ନୂଆ ବର୍ଷର ଅଭିନନ୍ଦନ। ଏହା ପ୍ରେମର ଋତୁ। ଘୃଣାର ନୁହେଁ। ଭିଡିଓରେ ହନି ନିଜର ନାଁର ଲକେଟ ସହିତ ବ୍ଲାକ ଟି-ଶର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ତାଙ୍କ ପଛରେ ଟିନା ଠିଆ ହୋଇଛନ୍ତି। ହନି ଗୀତ ଗାଇବା ସମୟରେ ତାଙ୍କ ନାକରେ ଚୁମ୍ବନ ଦେଉଛନ୍ତି।

ଏହା ଦେଖିବା ପରେ ସୋସିଆଲ ମିଡିଆ ୟୁଜରମାନେ ହନିଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଜଣେ ପ୍ରଶଂସକ କହିଛନ୍ତି, ଭାଇ ଏହି ଭିଡିଓ ଡିଲିଟ୍‌ କରିଦିଅ। ଆଉ ଜଣେ ୟୁଜର କହିଛନ୍ତି, ଭାଇ ଏବେ ନିଶାରେ। ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ରାତି କ’ଣ ଏ ପର୍ଯ୍ୟନ୍ତ ଆସିନି। କିଛି ୟୁଜର କହିଛନ୍ତି, ଭାଇ ଯେତେବେଳେ ନିଶା ଖସିଯିବ ଭିଡିଓ ଡିଲିଟ କରିଦେବେ।

ସ୍ମରଣଯୋଗ୍ୟ, ଛାଡ଼ପତ୍ରର ତିନି ମାସ ପରେ ହନି ସିଂ ଟିନାଙ୍କ ସହ ସମ୍ପର୍କ ଘୋଷଣା କରିଥିଲେ। ହନିଙ୍କ ନୂଆ ଗୀତ ‘ପ୍ୟାରିସ କା ଟ୍ରିପ୍‌’ରେ ଟିନାଙ୍କୁ ଦେଖିବାକୁ ମିଳିଥିଲା। ଗତବର୍ଷ ଡିସେମ୍ବରରେ, ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ହନି ଟିନାଙ୍କ ସହ ତାଙ୍କର ନୂଆ ସମ୍ପର୍କ ବିଷୟରେ ଘୋଷଣା କରିଥିଲେ। କିଛି ଦିନ ପରେ ହନି ତାଙ୍କ ଜନ୍ମଦିନରେ ଟିନାଙ୍କ ପାଇଁ ଏକ ରୋମାଣ୍ଟିକ ପୋଷ୍ଟ ଶେୟାର କରିଥିଲେ। ଟିନାଙ୍କ ସହ ଏକ ଫଟୋ ଶେୟାର କରି ହନି ଲେଖିଥିଲେ, ‘ଜନ୍ମଦିନର ଶୁଭେଚ୍ଛା ଟିନା।’

Share