ଏଆର୍‌ ରେହମାନଙ୍କୁ ମୁଣ୍ଡିଆ ମାରିଲେ ହନି ସିଂ

ବମ୍ବେ: ଚଳିତ ବର୍ଷ ଆବୁଧାବିରେ ଆଇଫା ଆଓ୍ବାର୍ଡସ୍‌ର ଆୟୋଜନ କରାଯାଇଛି। ବଲିଉଡର ବହୁ ଆଗଧାଡ଼ିର କଳାକାରଙ୍କଠାରୁ ଆରମ୍ଭ କରି ଗାୟକମାନେ ଏହି ସମାରୋହରେ ଯୋଗ ଦେଇଛନ୍ତି। ବିଶେଷକରି ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂ ଭିନ୍ନ ଅବତାରରେ ନଜର ଆସିଛନ୍ତି। ସେଠାରେ ସେ ଖୁବ୍‌ଶୀଘ୍ର ନିଜର ଦଶ ନୂଆ ଗୀତ ନେଇ ଆସୁଥିବା ଜଣାଇଛନ୍ତି। ଏହି ଘୋଷଣା କରି ସେ ସମସ୍ତଙ୍କୁ ଚକିତ କରିଛନ୍ତି। ଏହାଛଡ଼ା ହନି ଗାୟକ ଗୁରୁ ରନ୍ଧାବାଙ୍କ ସହ ଷ୍ଟେଜ୍‌ରେ ପର୍‌ଫର୍ମ କରିବା ସମୟରେ ଏଭଳି ଏକ ଘଟଣା ଘଟିଛି ଯାହା ଏବେ ଚର୍ଚ୍ଚାରେ ରହିଛି।

କଥାଟି ଏପରି। ଆଇଫା ଆଓ୍ବାର୍ଡସ୍‌ ସମାରୋହର ଆଗ ଧାଡ଼ିରେ ଏଆର୍‌ ରେହମାନ ବସିଥିଲେ। ହନି ଷ୍ଟେଜ୍‌ରେ ଥାଇ ତାଙ୍କୁ ଦେଖିବା ପରେ ତଳକୁ ଆସିଥିଲେ। ସେ ରେହମାନଙ୍କ ପାଦ ତଳେ ମୁଣ୍ଡ ଲଗାଇ ମୁଣ୍ଡିଆ ମାରିଥିଲେ। ପରେ ହନିଙ୍କୁ ରେହମାନ ଉଠାଇଥିଲେ। ଏହାର ଏକ ଭିଡିଓ ବେଶ ଭାଇରାଲ ହେଉଛି। ପ୍ରଶଂସକମାନେ ତାଙ୍କର ଏଭଳି ବ୍ୟବହାରକୁ ନେଇ ଖୁସି ପ୍ରକାଶ କରିଛନ୍ତି। ହନି ମଧ୍ୟ ନିଜେ ଏହାର ଏକ ଭିଡିଓ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହାର କ୍ୟାପ୍‌ଶନରେ ସେ ଲେଖିଛନ୍ତି ‘ମୋ ଜୀବନର ସ୍ବତନ୍ତ୍ର ମୂହୁର୍ତ୍ତ। ଏଆର୍‌ ରେହମାନ ସାର୍‌ଙ୍କ ସହ’।

Share