Categories: ଖେଳ

ପାକିସ୍ତାନ ପାଇଁ ଖେଳିବାକୁ ଚାହୁଁଥିଲେ ହଂକଂ ଅଧିନାୟକ

ଦୁବାଇ,୧।୯: ଏସିଆ କପ ୨୦୨୨ରେ ଭାରତ ବିପକ୍ଷ ମ୍ୟାଚ ସହିତ ହଂକଂ ଦଳ ଟୁର୍ନାମେଣ୍ଟରେ ଅଭିଯାନ ଆରମ୍ଭ କରିଛି। ଯୋଗ୍ୟତା ମ୍ୟାଚରେ ସମସ୍ତ ଦଳକୁ ପରାସ୍ତ କରି ମୁଖ୍ୟ ରାଉଣ୍ଡରେ ପହଞ୍ଚିଥିବା ହଂକଂ ଦଳ ଏହି ମ୍ୟାଚ୍‌ରେ ଭାରତଠାରୁ ପରାଜିତ ହୋଇଛି। ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ହଂକଂ ଅଧିନାୟକ ନିଜାକତ ଖାନ୍‌ ନିଜ ମନର କଥା କହିଥିଲେ।
ନିଜାକତ କହିଛନ୍ତି ଯେ, ପାକିସ୍ତାନ କ୍ରିକେଟ ଦଳରେ ଖେଳିବାର ସ୍ବପ୍ନ ଥିଲା। କିନ୍ତୁ ପରେ ମୁଁ ହଂକଂ ଯାଇଥିଲି, ବର୍ତ୍ତମାନ ମୁଁ ହଂକଂ ପାଇଁ ଖେଳୁଛି ଏବଂ ହଂକଂ ହେଉଛି ମୋର ଦଳ। ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ଆମେ ସମସ୍ତେ ଉତ୍ସାହିତ, ମୁଁ ଦ୍ୱିତୀୟ ଥର ପାଇଁ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଖେଳିବି। ମୁଁ ନିଶ୍ଚିତ ଯେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଆମେ ଭଲ ଖେଳିବୁ।
ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ବିଷୟରେ ନିଜାକତ କହିଛନ୍ତି, ବାବର ଆଜମ ବର୍ତ୍ତମାନ କ୍ରିକେଟର ଏକ ବଡ ତାରକା ହେବାକୁ ଯାଉଛନ୍ତି, ସେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଅଧିନାୟକତ୍ୱ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଁ ବ୍ୟାଟିଂ ଏବଂ ଅଧିନାୟକତ୍ୱରେ ବାବର ଆଜାମଙ୍କ ପଦାଙ୍କ ଅନୁସରଣ କରିବାକୁ ଚାହୁଁଛି।
ହଂକଂ ଦଳର ସ୍ଥାନୀୟ ବାସିନ୍ଦା ନାହାଁନ୍ତି। ୧୭ ଜଣିଆ ଦଳରେ ୧୨ ଜଣ ଖେଳାଳି ପାକିସ୍ତାନର। ଚାରିଜଣ ଖେଳାଳି ଭାରତର ଏବଂ ଜଣେ ଖେଳାଳି ଇଂଲଣ୍ଡର। ବିଶେଷ କଥା ହେଉଛି ଭାରତ ଏବଂ ପାକିସ୍ତାନର ଖେଳାଳିମାନେ କୌଣସି ଲିଗରେ ଏକାଠି ଖେଳନ୍ତି ନାହିଁ, କିନ୍ତୁ ହଂକଂ ଦଳରେ ଉଭୟ ଦେଶର ଖେଳାଳି ଏକାଠି ଖେଳନ୍ତି। ଯଦିଓ ଏହି ଦଳ ପାଇଁ ଖେଳୁଥିବା ଖେଳାଳିଙ୍କ ଭାରତ ଏବଂ ପାକିସ୍ଥାନ ସହିତ ସମ୍ପର୍କ ଥାଇପାରେ, କିନ୍ତୁ ବିସିସିଆଇ କିମ୍ବା ପିସିବି ସହିତ କାହାର ସମ୍ପର୍କ ନାହିଁ।
ହଂକଂ ଦଳର ଅଧିନାୟକ ନିଜାକତ ଖାନ ପାକିସ୍ତାନର ପଞ୍ଜାବର ଅଟନ୍ତି। ସେ ଅଟୋକରେ ଜନ୍ମଗ୍ରହଣ କରିଥିଲେ। ଏଥି ସହିତ ଦଳର ଉପ-ଅଧିନାୟକ କିଞ୍ଚିତ ଶାହା ଭାରତ ସହ ଜଡିତ। ସେ ମହାରାଷ୍ଟ୍ରର ମୁମ୍ବାଇ ସହରରେ ଜନ୍ମଗ୍ରହଣ କରିଥିଲେ। ଏହା ବ୍ୟତୀତ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ସ୍କଟ ମ୍ୟାକେଙ୍କି ଇଂଲଣ୍ଡର ଅଟନ୍ତି। ହଂକଂର ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ରିକେଟ ପ୍ରତି ଆଗ୍ରହ ନାହିଁ । ସେଥିପାଇଁ ସେଠାକାର ଲୋକମାନେ ଭଲ କ୍ରିକେଟର ମଧ୍ୟ ନୁହଁନ୍ତି।

Share