ସୁକିନ୍ଦାରେ ଅନରକିଲିଂ

ଯାଜପୁର/କଳିଙ୍ଗନଗର (ହର୍ଷବର୍ଦ୍ଧନ ବେହେରା/ ଶୁଭାଶିଷ ରାଉତ),୧ା୧୦: ସୁକିନ୍ଦା ଗାଁର ଦେବରଞ୍ଜନ ସିଂ ସାମନ୍ତଙ୍କ ପୁଅ ସୁଶୀଲମୟ ସିଂ ସାମନ୍ତ କଳିଙ୍ଗନଗର ଥାନା ଡ଼ୁବୁରୀ ଅଞ୍ଚଳର ନୀଳମଣି ସାହୁଙ୍କ ଝିଅ ବିଜୟଲକ୍ଷ୍ମୀ ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ବିଜୟଲକ୍ଷ୍ମୀ ଓବିସି ଏବଂ ସୁଶୀଲ କ୍ଷତ୍ରିୟ ଜାତିର। ତେଣୁ ସୁଶୀଲଙ୍କ ପରିବାର ଲୋକେ ସେମାନଙ୍କୁ ଘରୁ ବାହାର କରି ଦେଇଥିଲେ। ଫଳରେ ସୁଶୀଲ ଓ ବିଜୟଲକ୍ଷ୍ମୀ ସୁକିନ୍ଦା ଅଞ୍ଚଳର ଏକ ଭଡ଼ା ଘରେ ରହି ଆସୁଥିଲେ। ତାଙ୍କର ୪ ବର୍ଷର ଶିଶୁପୁତ୍ର ମଧ୍ୟ ରହିଛି। ସୁଶୀଲ ବାଙ୍ଗାଲୋରରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବାବେଳେ କିଛି ମାସ ହେବ ଘରକୁ ଆସିଥିଲେ। ବିଜୟଲକ୍ଷ୍ମୀଙ୍କ ଅଭିଯୋଗ ଅନୁଯାୟୀ, ପରିବାର ଲୋକେ ପୂର୍ବରୁ ବିଭିନ୍ନ ସମୟରେ ସୁଶୀଲଙ୍କଠାରୁ ଉଧାର ଆକାରରେ ଲକ୍ଷାଧିକ ଟଙ୍କା ନେଇଥିଲେ। ଘର ତିଆରି କରିବାକୁ ଟଙ୍କା ଆବଶ୍ୟକ ପଡ଼ିବାରୁ ସୁଶୀଲ ତାଙ୍କ ବାପାଙ୍କୁ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ। ତାହାକୁ ନେଇ ମତଭେଦ ଆରମ୍ଭ ହୋଇଥିଲା। ଟଙ୍କା ନ ଦେଇ ବିଭିନ୍ନ ଆଳ ଦେଖାଉଥିଲେ ପରିବାର ଲୋକେ। ତେବେ ସୁଶୀଲ ପୁଣି ବାଙ୍ଗାଲୋର ଯିବା ପାଇଁ ଟଙ୍କା ଆବଶ୍ୟକ ପଡ଼ିବାରୁ ଗତ ୧୬ ତାରିଖରେ ନିଜ ଘରକୁ ଟଙ୍କା ମାଗିବାକୁ ଯାଇଥିଲେ। ହେଲେ ଆଉ ଫେରି ନ ଥିଲେ। ପରଦିନ ଘର ନିକଟ କୂଅରୁ ତାଙ୍କ ମୃତଦେହ ମିଳିଥିଲା। ୧୭ ତାରିଖରେ ଅଗ୍ନିଶମ ବାହିନୀ ଉକ୍ତ କୂଅରୁ ସୁଶୀଲଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ସୁକିନ୍ଦା ଥାନା ପୋଲିସ ୩୨/୨୦୨୪ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଗତ ୧୮ ତାରିଖରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ ବିଜୟଲକ୍ଷ୍ମୀ ଘଟଣାର ୨ ଦିନ ପରେ ୧୯ ତାରିଖରେ ସୁକିନ୍ଦା ଥାନାରେ ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ସୁଶୀଲଙ୍କ ବାପା, ମା’, ୫ ଭଉଣୀ ଓ ଜଣେ ମାମୁ ସମ୍ପୃକ୍ତ ଥିବା ଦର୍ଶାଇଛନ୍ତି। ଘଟଣାକୁ ପ୍ରାୟ ୧୩ ଦିନ ଅତିକ୍ରାନ୍ତ ହୋଇସାରିଥିଲେ ହେଁ ପୋଲିସର ତଦନ୍ତ ସେତେଟା ଫଳପ୍ରଦ ହୋଇପାରିନାହିଁ। ଏଯାଏ ସୁଶୀଲଙ୍କ ମୃତ୍ୟୁ ଘଟଣାର ରହସ୍ୟ ପର୍ଦ୍ଦାଫାଶ କରିବାରେ ପୋଲିସ ବିଫଳ ହୋଇଛି। ଅନ୍ୟପକ୍ଷରେ ଥାନାରେ ଅଭିଯୋଗ ହେବା ପରେ ସୁଶୀଲଙ୍କ ପରିବାର ଲୋକେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ତଦନ୍ତ ଅଧିକାରୀ ମଦନମୋହନ ସାମଲଙ୍କୁ ପଚାରିବାରେ ସେ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ତଦନ୍ତ ଆଧାରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share