ସୁପ୍ରିମକୋର୍ଟ ଦେଶଦ୍ରୋହ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଏହି ଉପନିବେଶିକ ଯୁଗର ଆଇନକୁ ହଟାଇଦେବାକୁ ଚାହାନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହା ଏକ ଉତ୍ତମ ପଦକ୍ଷେପ। ଏହି ଆଇନ କହେ- ଯେଉଁ ବ୍ୟକ୍ତି ସରକାର ବିରୋଧରେ ଲେଖନ୍ତି କିମ୍ବା କହନ୍ତି ଅଥବା ସଙ୍କେତ ମାଧ୍ୟମରେ ପ୍ରତ୍ୟକ୍ଷ ଅବା ଅନ୍ୟପ୍ରକାରେ ଘୃଣା, ଅସନ୍ତୋଷ କିମ୍ବା ଉତ୍ତେଜନା ସୃଷ୍ଟି କରନ୍ତି ବା କରାଇବାକୁ ଚେଷ୍ଟା କରନ୍ତି, ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବ। ଏଥିରେ ଆଜୀବନ ଜେଲ ଦଣ୍ଡର ପ୍ରାବଧାନ ରହିଛି। ଆର୍ଟିକିଲ-୧୪.କମ୍ ଓ୍ବେବ୍ସାଇଟ ସରକାରଙ୍କ ଦ୍ୱାରା ଆଇନର ଅପବ୍ୟବହାର ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଏକ ବଡ଼ କାମ କରିଛି ଏବଂ ଏହି ବିଷୟକୁ ସାର୍ବଜନୀନ କରିଛି। ବିଶେଷଜ୍ଞମାନେ ମଧ୍ୟ ସତର୍କ କରିଦେଇଛନ୍ତି। ପ୍ରଥମରେ ଦେଶଦ୍ରୋହ ମାମଲାଗୁଡ଼ିକ ଏବେ ମଧ୍ୟ ସରକାରଙ୍କ ଦ୍ୱାରା ରୁଜୁ କରାଯାଇପାରିବ; ଦ୍ୱିତୀୟରେ ଆହୁରି ଅନେକ ଆଇନ, ଯେଉଁଥିରେ ସମସ୍ୟା ରହିଛି, ସେଗୁଡ଼ିକର ଅପବ୍ୟବହାର କରାଯାଇପାରେ। ଏହି ଦୁଇଟି ବିଷୟ ସତ୍ୟ। ତେବେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ପରେ ଆମେ ଆନନ୍ଦିତ ହେବା ଏବଂ ଏହି ଆଇନକୁ ହଟାଇବା ଲାଗି ସାହସର ସହ ଅଗ୍ରସର ହେବା ଦରକାର। ଥରେ ନ୍ୟାୟପାଳିକା ପରିସରକୁ ଯଦି ଏକବିଂଶ ଶତାବ୍ଦୀ ଗଣତନ୍ତ୍ରରେ ଥିବା ଅନୁପଯୁକ୍ତ ଆଇନଗୁଡ଼ିକ ଆସିଯାଏ, ତେବେ ସମସ୍ୟା ସୃଷ୍ଟିକାରୀ ଆଇନଗୁଡ଼ିକର ପତନ ଘଟିବ। ଯେତେବେଳେ ଏଭଳି ସତ୍ୟସବୁକୁ ଦେଶ ଅନୁଭବ କରିବ ସେତେବେଳେ ନିଜକୁ ନିଜେ ସୁଧୁରିଯିବ। ସମ୍ବିଧାନରେ ଆମକୁ ଦିଆଯାଇଥିବା ବ୍ୟକ୍ତିଗତ ସ୍ବାଧୀନତାଗୁଡ଼ିକ ଦୃଷ୍ଟିକୋଣରୁ ବିଚାର କଲେ ଭାରତର ଅନେକ ଆଇନର ସମୀକ୍ଷା କରାଯିବା ଆବଶ୍ୟକ। ଦେଶଦ୍ରୋହ କେବଳ ଏକମାତ୍ର ଉପନିବେଶିକ ଆଇନ ନୁହେଁ, ଯାହାକୁ ଆମେ ସାମ୍ନା କରୁଛେ। ଗାନ୍ଧିଜୀ ରୌଲାତ ଆଇନକୁ ବିରୋଧ କରିଥିଲେ ଓ ଏହା ଜାଲିଆନଓ୍ବାଲା ଗଣହତ୍ୟାର କାରଣ ପାଲଟିଥିଲା। ଏହି ଆଇନରେ ବିନା ଅଭିଯୋଗ କିମ୍ବା ବିଚାର ବା ମାମଲା(ଟ୍ରାଏଲ)ରେ ଲୋକଙ୍କୁ ଅଟକ ରଖାଯାଇ ପାରୁଥିଲା ଏବଂ ଏହାକୁ ମଧ୍ୟ ଆଇନଗତ ପ୍ରକ୍ରିୟାରେ ଶେଷ କରିଦିଆଗଲା। ପ୍ରଶାସନିକ ଅଟକ କହିଲେ ଜଣେ ଅପରାଧରେ ଜଡ଼ିତ ନ ଥିତ୍ଲେ ମଧ୍ୟ ଭବିଷ୍ୟତରେ ଅପରାଧ ଘଟାଇବା ସନ୍ଦେହରେ ଜେଲରେ ରଖାଯାଇଥାଏ। ଏବେ ଆମ ଦେଶରେ ଏଭଳି ଅନେକ ଆଇନ ଚାଲିଛି। ୨୦୧୫ରେ ଭାରତରେ ୩,୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସରକାର ଅଟକ ରଖିଥିଲେ। ଗୁଜରାଟରେ ୧୯୮୪ର ପ୍ରିଭେନ୍ସନ ଅଫ୍ ଆଣ୍ଟିସୋସିଆଲ ଆକ୍ଟିଭିଟିଜ୍ ଆକ୍ଟ ବିନା ଅଭିଯୋଗ କିମ୍ବା ଟ୍ରାଏଲ୍ରେ ବର୍ଷେ ଅଟକ ରଖିବାକୁ ଅନୁମତି ଦେଇଛି। ଉତ୍ତରପ୍ରଦେଶରେ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନ୍ଏସ୍ଏ) ବା ଜାତୀୟ ସୁରକ୍ଷା ଆଇନରେ ବିନା ଅଭିଯୋଗ କିମ୍ବା ଟ୍ରାଏଲରେ ଜଣଙ୍କୁ ବର୍ଷେ ଯାଏ ଅଟକ ରଖାଯାଇପାରିବ। କୌଣସି ବାଟରେ ଯଦି ଜଣେ ଭାରତର ପ୍ରତିରକ୍ଷା, ବୈଦେଶିକ ସମ୍ପର୍କ କିମ୍ବା ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଭଳି କାର୍ଯ୍ୟ କରୁଥାନ୍ତି ତେବେ ତାକୁ ରୋକିବା ଲାଗି ଏହି ଆଇନ ପ୍ରୟୋଗ କରାଯାଏ। ଏହା ବ୍ୟତୀତ କୌଣସି ବ୍ୟକ୍ତି କୌଣସି ବାଟରେ ଯଦି ରାଜ୍ୟର ସୁରକ୍ଷା, ସଦଭାବନା ପ୍ରତି ବିପଦ ସୃଷ୍ଟି କରନ୍ତି ଅଥବା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଯୋଗାଣ କିମ୍ବା ସେବାରେ ବିପଦ ସୃଷ୍ଟି କରୁଥାଆନ୍ତି ତେବେ ଏହିି ଆଇନ ସେମାନଙ୍କ ଉପରେ ଲାଗୁ କରାଯାଏ। ଏନ୍ଏସ୍ଏ ଆଇନରେ ମଧ୍ୟପ୍ରଦେଶରେ ଗୋ ଚୋରା ଚାଲାଣ ଏବଂ ଗୋ ହତ୍ୟା ଅଭିଯୋଗରେ ମୁସଲ୍ମାନମାନଙ୍କୁ ଜେଲରେ ଭର୍ତ୍ତି କରାଯାଇଛି। ତାମିଲନାଡୁ ଓ କର୍ନାଟକରେ ମଧ୍ୟ ଆଇନ ରହିଛି, ଯେଉଁଥିରେ ବିନା ଅଭିଯୋଗ କିମ୍ବା ଟ୍ରାଏଲରେ ଜେଲ ପଠାଇ ଦିଆଯାଉଛି।
ଆସାମରେ ପ୍ରିଭେନ୍ଟିଭ ଡିଟେନ୍ଶନ ଆଇନ, ୧୯୮୦ ରହିଛି। ଏହା ଜଣେ ବ୍ୟକ୍ତିଙ୍କୁ ବିନା ଅଭିଯୋଗ କିମ୍ବା ଟ୍ରାଏଲରେ ୨ ବର୍ଷ ପାଇଁ ଜେଲ୍ରେ ରଖିତ୍ପାରିବ। ବିହାରରେ କଞ୍ଜରଭେଶନ ଅଫ୍ ଫରେନ ଏକ୍ସଚେଞ୍ଜ ଆଣ୍ଡ୍ ପ୍ରିଭେନ୍ସନ ଅଫ୍ ସ୍ମଗ୍ଲିଙ୍ଗ ଆକ୍ଟ, ୧୯୮୪ ଚାଲିଛି। ଏହା ଦ୍ରବ୍ୟ ଚୋରା କାରବାର କିମ୍ବା ଏହାକୁ ସହାୟତା କରିବା ଅଥବା ଏଭଳି ସବୁ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଆଶ୍ରୟ ନେବା କିମ୍ବା ଚୋରା ଦ୍ରବ୍ୟ ରଖିବା ଓ ପରିବହନ କରିବା ଆଦିରେ ଜଡ଼ିତ ବ୍ୟକ୍ତିଙ୍କୁ ଅଟକ ରଖିବା ପାଇଁ ଅନୁମତି ଦେଇଛି। ଜମ୍ମୁକଶ୍ମୀରରେ ମଧ୍ୟ ୩ଟି ଆଇନ ଅଛି। ଗୋଟିକରେ ବିନା ଅଭିଯୋଗ କିମ୍ବା ଟ୍ରାଏଲରେ ୬ ମାସ, ଦ୍ୱିତୀୟରେ ବର୍ଷେ ଓ ତୃତୀୟଟିରେ ୨ ବର୍ଷ ଯାଏ ଅଟକ ରଖାଯାଇପାରିବ। ପଶ୍ଚିମବଙ୍ଗରେ ପ୍ରିଭେନ୍ସନ ଅଫ୍ ଭାଓଲେଣ୍ଟ ଆକ୍ଟିଭିଟିଜ ଆକ୍ଟ,୧୯୭୦ ମଧ୍ୟ ଚାଲିଛି। ଛତିଶଗଡ଼ରେ ଏନ୍ଏସ୍ଏ ବଳରେ ନିୟମିତ ଭାବେ ସାମ୍ବାଦିକମାନଙ୍କୁ ସେମାନଙ୍କ ରିପୋର୍ଟିଂ ପାଇଁ ବର୍ଷେ ଯାଏ ଜେଲରେ ରଖାଯାଉଛି। ଆରମ୍ଭରୁ ଯଦି ଦେଖିବା ଏଗୁଡ଼ିକ ଇଂରେଜ ଅମଳର ଆଇନ ନୁହେଁ। ଆମେ ଏହି ସବୁ ଆଇନ ଆମ ପାଇଁ ଗଢିଛେ। ପ୍ରତ୍ୟେକ ରାଜ୍ୟ ଏହାକୁ ଅତ୍ୟଧିକ ବ୍ୟବହାର କରନ୍ତି ଏବଂ ନ୍ୟାୟପାଳିକାରୁ ଏହାକୁ ପ୍ରତିରୋଧ କରାଯାଏ ନାହିଁ।
ଆମେ ଆଜିକାଲି କିଛି ବର୍ଗର ଭାରତୀୟଙ୍କୁ ‘ଦେଶଦ୍ରୋହୀ’ କହି ଶତ୍ରୁଭାବେ ବର୍ଗୀକୃତ କରିଛୁ। ଏବେ ଆମର ଜାଲିଆନ୍ଓ୍ବାଲା ବାଗ୍ ଭଳି ସମାବେଶ ନାହିଁ। ଯଦି ଆମେ ଏହି ସବୁ ଆଇନ ବିରୋଧରେ ସେଭଳି କରୁ, ତେବେ ଆମକୁ ଦେଶ ବିରୋଧୀ ବା ଦେଶଦ୍ରୋହୀ କୁହାଯିବ। ଏକ ଶତାବ୍ଦୀ ପୂର୍ବେ ଥିବା ରୌଲତ ଆଇନ ଭଳି ଏବକାର ସ୍ଥିତି ଓ ସମୟରେ ଏହି ସବୁ ଆଇନ ଅନୁପଯୁକ୍ତ କହି ପ୍ରସଙ୍ଗକୁ ବଦଳାଇ ହେବ ନାହିଁ। ଏଥିପାଇଁ ଗଭୀର ଚିନ୍ତା କରିବାକୁ ପଡ଼ିବ। ତେବେ ଏକ ଗଣତାନ୍ତ୍ରିକ ଦେଶର ନାଗରିକ ଭାବେ ଥରେ ଆମ ମଧ୍ୟରେ ବିଶେଷକରି ଉଚ୍ଚତର ନ୍ୟାୟପାଳିକାରେ ଏ ସମ୍ପର୍କରେ ବିଚାରବୋଧ ବା ସଚେତନତା ଉଦୟ ହେଲେ ଦେଶଦ୍ରୋହ ଆଇନରେ ପରିବର୍ତ୍ତନ ଅଣାଯାଇ ପାରିବ ବୋଲି ଆମେ ଆଶା କରିପାରିବା। ଏହା ନିଶ୍ଚିତ ଭାବେ ଆମ ଭବିଷ୍ୟତ ପାଇଁ ଏକ ଆଶାର କିରଣ।
- ଆକାର ପଟେଲ
Email:aakar.patel@gmail.com