ଅଷ୍ଟ୍ରା-ଅକ୍ସଫୋର୍ଡ ଟିକା ଭରସା

ନୂଆଦିଲ୍ଲୀ, ୨୩।୧୧:ଫାଇଜର ଏବଂ ମଡର୍ନା ଟିକାର ସଫଳ ପରୀକ୍ଷା ପରେ ଖୁବ୍‌ଶୀଘ୍ର ଏହା ଉପଲବ୍ଧ ହେବା ନେଇ ଆଶା ସଞ୍ଚାର ହୋଇଥିବାବେଳେ ଆମେରିକା ଭଳି କେତେକ ଧନୀ ରାଷ୍ଟ୍ରଙ୍କୁ ବାଦ୍‌ ଦେଲେ ଅଧିକାଂଶ ଦେଶ କରୋନା ସଙ୍କଟରୁ ମୁକ୍ତି ପାଇଁ ଅଷ୍ଟ୍ରାଜେନିକା ପ୍ରସ୍ତୁତ କରିବାକୁ ଥିବା ଅକ୍ସଫୋର୍ଡ ଟିକା ଉପରେ ଭରସା କରିଛନ୍ତି। ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିବାବେଳେ ଖୁବ୍‌ଶୀଘ୍ର ଫଳାଫଳ ଆସିବ ବୋଲି ଆଶା କରାଯାଉଛି। ଏହି ଟିକା ପାଇଁ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକ ଅଧିକ ଡିଲ୍‌ କରୁଛନ୍ତି। ଉତ୍ପାଦନର ୪୦ ପ୍ରତିଶତରୁ ଅଧିକ ଟିକା ଡିଲ୍‌ କରିଥିବା ସେହି ଦେଶଗୁଡ଼ିକୁ ପଠାଯିବ। ଫାଇଜର ଓ ମଡର୍ନା ଟିକା ତୁଳନାରେ ଅକ୍ସଫୋର୍ଡ ଟିକା ଶସ୍ତା ଏବଂ ଭାରତ ଓ ବ୍ରାଜିଲ ସମେତ ବିଭିନ୍ନ ଦେଶରେ ଏହା ତିଆରି ହେବ। ଫାଇଜର ଓ ମଡର୍ନା ଟିକା ଭଳି ଏହାକୁ ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ରଖିବାକୁ ପଡ଼ୁ ନ ଥିବାରୁ ପରିବହନ ଓ ଗଚ୍ଛିତ ରଖିବା ମଧ୍ୟ ସହଜ ହେବ। ଅନ୍ୟପକ୍ଷରେ ଫାଇଜର ଟିକାର ଜରୁରୀ ବ୍ୟବହାର ଲାଗି ଅନୁମୋଦନ ନିମନ୍ତେ କମ୍ପାନୀ ପକ୍ଷରୁ ଶୁକ୍ରବାର ଆବେଦନ କରାଯାଇଛି। ଏହି ଟିକା ଡିସେମ୍ବର ମଧ୍ୟଭାଗରେ ବଜାରକୁ ଆସିପାରେ ବୋଲି କୁହାଯାଉଛି। ଧନୀ ଦେଶଗୁଡ଼ିକ ଫାଇଜର ଓ ମଡର୍ନା ଟିକାର ପ୍ରଥମ ଯୋଗାଣ ପାଇବା ପାଇଁ ପ୍ରତୀକ୍ଷା କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଆସିବାକୁ ଥିବା ଅଷ୍ଟ୍ରାଜେନିକା, ନୋଭାଭାକ୍ସ ଏବଂ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ କମ୍ପାନୀର ଟିକା ଉପରେ ଅଧିକାଂଶ ଅଞ୍ଚଳ ନିର୍ଭର କରୁଛନ୍ତି। ତେଣୁ ଚାହିଦା ପୂରଣ ଲାଗି ବହୁତ ଦିନ ଲାଗିପାରେ।

Share