Categories: ଜାତୀୟ

‘ଆଶା କରୁଛି ପଶ୍ଚିମବଙ୍ଗ କଡ଼ା କାର୍ଯ୍ୟାନୁଷ୍ଠାନ ନେବ’

ନୂଆଦିଲ୍ଲୀ,୨୩।୩: ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ସଂଗଠିତ ହିଂସା ଉପରେ ବୁଧବାର ଶୋକ ପ୍ରକାଶ କରିବା ସହ ଦୋଷୀଙ୍କୁ ଧରିବା ପାଇଁ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। “ମୁଁ ଆଶା କରୁଛି, ରାଜ୍ୟ ସରକାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ। ଆଉ ଯେଉଁମାନେ ଏଭଳି ଅପରାଧୀଙ୍କୁ ଉତ୍ସାହିତ କରିଛନ୍ତି, ସେମାନଙ୍କୁ ଛଡ଼ା ଯିବା ଉଚିତ ନୁହେଁ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବୀରଭୂମ ହିଂସାକାଣ୍ଡର ରିପୋର୍ଟ ଦାବି କରିଥିବା ବେଳେ ସ୍ଥାନୀୟ ନେତାଙ୍କ ପରେ ପ୍ରତିଶୋଧ ନେବା ପାଇଁ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କର୍ମୀ ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ କରିଛି ଭାଜପା। ଏଥିସହିତ ଭାଜପା ଘଟଣାସ୍ଥଳକୁ ଯାଞ୍ଚ ପାଇଁ ଏକ ଦଳ ପଠାଉଛି। ଉଲ୍ଲେଖଯୋଗ୍ୟ, ବୀରଭୂମ ଜିଲାର ରାମପୁରହାଟ ସହର ଉପକଣ୍ଠରେ ଥିବା ବୋଗତୁଇ ଗାଁର କିଛି ଘରେ ମଙ୍ଗଳବାର ରାତିରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ୮ମ ବ୍ୟକ୍ତି ହସ୍ପିଟାଲ ବାଟରେ ପ୍ରାଣ ହରାଇଥିଲେ।

Share