ଆଶା, ଆଶଙ୍କାରେ ଜିଲା ପରିଷଦ ପ୍ରାର୍ଥୀ

କଣାସ,୭।୨(ସ୍ବ.ପ୍ର.): ଆସନ୍ତା ୧୬ତାରିଖରେ କଣାସ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ହେବ। ଏହିଦିନ ପାଖେଇ ଆସୁଥିବା ହେତୁ ବ୍ଲକର ୩, ୪ ଓ ୫ ନମ୍ବର ଜିଲା ପରିଷଦ ଜୋନରେ ନିର୍ବାଚନ ଉଷ୍ମତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ପ୍ରାର୍ଥୀମାନେ ଘର ଘର ବୁଲି ପ୍ରଚାର କରିବାରେ ସମସ୍ତ ଶକ୍ତି ଖଟାଇ ଦେଇଛନ୍ତି। ପ୍ରତ୍ୟେକ ଜୋନରେ ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହେବାର ନିଶ୍ଚିତ ହୋଇସାରିଛି। ହେଲେ ବ୍ଲକର କୌଣସି ଜୋନରେ କଂଗ୍ରେସ ଦଳର ପ୍ରାର୍ଥୀ ନ ଥିବାବେଳେ ସେହି ଭୋଟରମାନେ କେଉଁ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ଯିବେ ତାହା କଳନା କରିବା ସମ୍ଭବ ହେଉନି। ତେଣୁ ଜିଲା ପରିଷଦ ପ୍ରାର୍ଥୀମାନେ ଆଶା, ଆଶଙ୍କାରେ ରହିଛନ୍ତି।
କଣାସ ବ୍ଲକର ୩ ନମ୍ବର ଜୋନରେ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଣତି ଜେନା ବିଜେଡି, ମୀନାକ୍ଷୀ ମିଶ୍ର ଭାଜପା, ତପସ୍ବିନୀ ମହାରଥା ସିପିଆଇ(ଏମ୍‌) ଓ ସତ୍ୟଭାମା ମଲ୍ଲିକ ସ୍ବାଧୀନ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ୩ ନମ୍ବର ଜୋନରେ ବିଜେଡି, ଭାଜପା ଓ କଂଗ୍ରେସ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ୨୯,୦୧୪ ମତଦାନ ହୋଇଥିବା ବେଳେ ୫୪୧ଖଣ୍ଡ ନାକଚ ହୋଇଥିଲା। ବିଜେଡି ପ୍ରାର୍ଥୀ ୧୬,୩୬୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଭାଜପା ୨ୟ ଓ କଂଗ୍ରେସ ୩ୟ ସ୍ଥାନରେ ରହିଥିଲେ। ସେହିପରି ୪ ନମ୍ବର ଜୋନରେ ୬ଜଣ ପ୍ରାର୍ଥୀ ରହିଛନ୍ତି। ଅଶୋକ ପ୍ରଧାନ ସିପିଆଇ (ଏମ୍‌ଏଲ), କରୁଣାକର ଦାସ ବିଏସ୍‌ପି, ଭୀମସେନ ପାଇକରାୟ ବିଜେଡି, ରାମଚନ୍ଦ୍ର ବେହେରା ସ୍ବାଧୀନ, ସୌମ୍ୟକାନ୍ତ ବେହେରା ଏଏପି ଓ ସୌମ୍ୟରଞ୍ଜନ ବଳିଆରସିଂହ ଭାଜପାରୁ ନିର୍ବାଚନ ଲଢୁଛନ୍ତି। ଭାଜପା ପ୍ରାର୍ଥୀ ସୌମ୍ୟରଞ୍ଜନ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହଙ୍କ ପୁତ୍ର ହୋଇଥିବାବେଳେ ଭାଜପାର ବିଦ୍ରୋହୀ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ରାମଚନ୍ଦ୍ର ବେହେରା। ଗତ ନିର୍ବାଚନରେ ୨୭୧୮୦ ମତଦାନ ହୋଇଥିବା ବେଳେ ୪୮୮ ଖଣ୍ଡ ନାକଚ ହୋଇଥିଲା। ୧୨୩୮୬ ଭୋଟ ପାଇ ବିଜେଡି ପ୍ରଥମ, ୨ୟରେ କଂଗ୍ରେସ ଏବଂ ୩ୟରେ ଥିଲା ଭାଜପା। ସେହିପରି ୫ ନମ୍ବର ଜୋନରେ ୫ ପ୍ରାର୍ଥୀ ଥିବାବେଳେ କରୁଣାକର ଦାସ ବିଏସ୍‌ପି, ଧନେଶ୍ୱର ସ୍ବାଇଁ ସିପିଆଇ(ଏମ୍‌), ପ୍ରସନ୍ନ ପାଇକରାୟ ସ୍ବାଧୀନ, ଲତାମଣି ଜଗଦ୍ଦେବ ଭାଜପା ଓ ଲିଙ୍ଗରାଜ ସ୍ବାଇଁ ବିଜେଡି ପ୍ରାର୍ଥୀ ଭାବେ ଲଢ଼େଇ କରୁଛନ୍ତି। ଗତ ନିର୍ବାଚନରେ ୩୧,୪୯୫ ମତଦାନ ମଧ୍ୟରୁ ନାକଚ ହୋଇଥିଲା ୩୮୦ ଭୋଟ। ୧୪,୨୦୪ ଭୋଟ ପାଇ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଭାଜପା ପ୍ରାର୍ଥୀ ୨ୟ ଓ କଂଗ୍ରେସ ୩ୟରେ ରହିଥିଲା। ୨୦୧୭ ନିର୍ବାଚନ ପରିସଂଖ୍ୟାନରୁ ଜଣାପଡେ ୩ଟି ଜୋନରେ କଂଗ୍ରେସ ପଛୁଆ ଭାବେ ରହିଛି। ଚଳିତଥର ସ୍ବାଧୀନ, ସିପିଆଇ(ଏମ୍‌), ସିପିଆଇ (ଏମ୍‌ଏଲ), ଏଏପି ଓ ବିଏସ୍‌ପିର ପ୍ରାର୍ଥୀମାନେ ବିଜେଡି ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ୪ ନମ୍ବର ଜୋନରେ ବିଦ୍ରୋହୀ ସ୍ବାଧୀନ ପ୍ରାର୍ଥୀ ଭାଜପା ପାଇଁ କଣ୍ଟା ସଦୃଶ ପ୍ରତୀୟମାନ ହେଉଛି।

Share