Categories: ଖେଳ

ନୀରଜଙ୍କ ଟୁଇଟ୍‌ ପରେ ଆଶା ବଢ଼ିଲା

ନୂଆଦିଲ୍ଲୀ,୧୮ା୮(ପି.ଟି.):ଓଡ଼ିଆ ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କ ଭିଜା ବାତିଲ ପ୍ରସଙ୍ଗରେ ଟୁଇଟ୍‌ କରିଛନ୍ତି ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା। ନୀରଜଙ୍କ ଟୁଇଟ ପରେ କିଶୋରଙ୍କୁ ଶୁକ୍ରବାର ସକାଳ ୯.୦୦ ସମୟରେ ଭିଜା ଆପଏଣ୍ଟମେଣ୍ଟ ପାଇଁ ସମୟ ପ୍ରଦାନ କରିଛି ହଙ୍ଗେରୀ ଦୂତାବାସ। ଆଥଲେଟିକ୍ସ ଫେଡେରେଶନ ଅଫ ଇଣ୍ଡିଆ ପକ୍ଷରୁ ଏହା ଟୁଇଟ୍‌ କରି ସୂଚନା ଦିଆଯାଇଛି। ବୁଧବାର ହଙ୍ଗେରୀ ଦୂତାବାସ ପକ୍ଷରୁ କିଶୋରଙ୍କ ଭିଜା ବାତିଲ କରି ଦିଆଯାଇଥିଲା। ବୁଦାପେଷ୍ଟରେ ଅଗଷ୍ଟ ୧୯ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ନିମନ୍ତେ କିଶୋର ଅଗଷ୍ଟ ୨୦ ତାରିଖରେ ଯିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଭିଜା ବାତିଲ ହେବା ପରେ ବର୍ତ୍ତମାନ ଏହାକୁ ନେଇ ଆଶଙ୍କା ଦେଖାଦେଇଛି। ଏହି ମାମଲାରେ ବୈଦେଶିକ ମନ୍ତ୍ରଣାଳୟ ହସ୍ତକ୍ଷେପ କରିବା ସହ ତୁରନ୍ତ ଏହାର ସମାଧାନ କରିବା ପାଇଁ ନୀରଜ ଅନୁରୋଧ କରିଛନ୍ତି। ସେ ବୈଦେଶିକ ମନ୍ତ୍ରଣାଳୟକୁ ଟ୍ୟାଗ୍‌ କରିବା ସହିତ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି। ତୁରନ୍ତ ଏହି ମାମଲାର କୌଣସି ସମାଧାନ ବାହାର କରିବା ପାଇଁ ନୀରଜ ଅନୁରୋଧ କରିଛନ୍ତି। ଏହା କିଶୋରଙ୍କ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, ତେଣୁ ଆମ ପକ୍ଷରୁ ଶ୍ରେଷ୍ଠ ପ୍ରୟାସ କରାଯିବା ଉଚିତ ବୋଲି ନୀରଜ କହିଥିଲେ।
ଜୁଲାଇ ୩୦ରେ ଶ୍ରୀଲଙ୍କାର ଜାତୀୟ ଚାମ୍ପିୟନଶିପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ କିଶୋର ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

Share