ଫିରୋଜାବାଦ,୩୦ ।୧୧: ଉତ୍ତର ପ୍ରଦେଶର ଫିରୋଜାବାଦରେ ମଙ୍ଗଳବାର ଏକ ଲୋମ ଟାଙ୍କୁରା ଘଟଣା ଘଟିଛି । ଏଠାରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଓ ଫର୍ନିଚର ଦୋକାନରେ ନିଆଁ ଲାଗି ଯିବାରୁ ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଏହାସହ ୩ ଜଣ ଗୁରୁତର ଆହତ ବି ହୋଇଛନ୍ତି । ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁଯାୟୀ, ଫିରୋଜାବାଦର ଜସରାନା ଅଞ୍ଚଳରେ ସର୍ଟ ସର୍କିଟ ଯୋଗୁ ଏକ ଘରେ ନିଆଁ ଲାଗିଯିବାରୁ ସେଠାରେ ଥିବା ଲୋକେ ଚିତ୍କାର କରିବା ଆରମ୍ଭ କରିଥିେଲେ । ଏହାରି ଭିତରେ ପୋଲିସ ଓ ଦମକଳ ବାହିନୀଙ୍କୁ ସୂଚନା ଦିଆଯିବାରୁ ସେମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେତେବେଳକୁ ଗୋଟିଏ ପରିବାରର ୬ ଜଣ ସଦସ୍ୟ ନିଆଁରେ ପୋଡି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ ଶିଶୁ, ୨ ମହିଳା ଓ ଜଣେ ପୁରୁଷ ରହିଛନ୍ତି ।
ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆହତମାନଙ୍କର ଯେମିତି ଠିକ୍ ଚିକିତ୍ସା କରାଯାଏ । ଏହା ବ୍ୟତୀତ ମୃତକଙ୍କ ପରିଜନଙ୍କୁ ୨-୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।