ବ୍ରାଜିଲରେ ସ୍ଥିତି ଅସମ୍ଭାଳ, ରଦ୍ଦ ହେଲା ରିଓ କାର୍ନିଭାଲ

ବ୍ରାଜିଲିୟା,୨୪ ।୧: ବ୍ରାଜିଲରେ ଗୋଟିଏ ଦିନରେ ୧.୬୫ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢି ଯାଇଛି । ଏହି ସମୟରେ ୨୩୮ ଜଣଙ୍କର ମୃତ୍ୟୁ ବି ହୋଇଛି । ଏଭଳି ସ୍ଥିତି କେତେ ଭୟାବହ ତାହା ଏହି ସଂଖ୍ୟାରୁ ସହଜରେ ଅନୁମାନ କରାଯାଇପାରେ । ବ୍ରାଜିଲର ମୋଟ ଜନସଂଖ୍ୟା ୨୧.୨୬ କୋଟି । ଏହା ଭାରତର ରାଜ୍ୟ ଉତ୍ତରପ୍ରଦେଶ ସହ ସମାନ କହିଲେ ଚଳେ । ତେଣୁ ସେଠାରେ ଏତେ ପରିମାଣରେ ସଂକ୍ରମିତ ଓ ମୃତ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ବ୍ରାଜିଲର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ଓମିକ୍ରନ୍ ସଂକ୍ରମଣ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । କାରଣ ଓମିକ୍ରନ ଖୁବ୍ ଦ୍ରୁତ ଗତିରେ ବ୍ୟାପୁଛି ।
ସୂଚନାଯୋଗ୍ୟ, ବ୍ରାଜିଲରେ କରୋନା ମହାମାରୀ ଆରମ୍ଭରୁ ଏବେ ପର୍ଯ୍ୟନ୍ତ ୨.୪ କୋଟି ଲୋକ ସଂକ୍ରମିତ ହୋଇ ସାରିଲେଣି । ୨,୨୨,୮୦୧ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ବି ହେଲାଣି । ଦେଶରେ ପାଖାପାଖି ୧୪.୮୫ କୋଟି ଅର୍ଥାତ୍ ୭୦ ପ୍ରତିଶତ ଲୋକଙ୍କୁ କରୋନା ଭ୍ୟାକ୍ସିନର ଦୁଇଟି ଯାକ ଡୋଜ ଦିଆ ସରିଲାଣି । ୮୦ ପ୍ରତିଶତ ପାଖାପାଖି କରୋନା ଭ୍ୟାକ୍ସିନର ଗୋଟିଏ ଡୋଜ ନେଇ ସାରିଛନ୍ତି । ସେହିପରି ୧୯.୪ ପ୍ରତିଶତ ବୁଷ୍ଟର ଡୋଜ ନେଲେଣି ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣର ଭୟାବହତାକୁ ଦେଖି ରିୟୋ କାର୍ନିଭାଲକୁ ରଦ୍ଦ କରାଯାଇଛି । ଅଧିକାରୀମାନେ କହିଛନ୍ତି ଯଦିି ସ୍ଥିତିରେ ସୁଧାର ଆସିଲା ତେବେ ଏହି କାର୍ନିଭାଲ ଏପ୍ରିଲରେ ଆୟୋଜନ କରାଯାଇପାରେ ।

Share