କ୍ୱିଭ୍,୪।୪: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୦ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ରୁଷିଆ ୟୁକ୍ରେନର ଅନେକ ବଡ ସହରକୁ ଧ୍ୱଂସ କରିଦେଇଛି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡିଛନ୍ତି। ଏହି ସମୟରେ, ୟୁକ୍ରେନର ବୁଚାରୁ ଏକ ଚିତ୍ର ଭାଇରାଲ ହେବାରେ ଲାଗିଛି। ଫଟୋରେ ସାଧାରଣ ଲୋକଙ୍କ ମୃତଦେହ ରାସ୍ତାରେ ସବୁଆଡେ ପଡ଼ିଥିବାର ଦେଖାଯାଏ। ଏକ ଫଟୋରେ ଜଣେ ବ୍ୟକ୍ତି ରାସ୍ତାର ପାର୍ଶ୍ୱରେ ପଡ଼ିଥିବାର ଦେଖାଯାଇଛି, ତାଙ୍କ ପିଠି ପଛରେ ହାତ ବନ୍ଧା ହୋଇଛି ଏବଂ ମୁଣ୍ଡରେ ଗୁଳି ଫୁଟିଥିବା ଚିହ୍ନ ରହିଛି।
ୟୁକ୍ରେନ ଅଭିଯୋଗ କରିଛି ଯେ, ଯୁଦ୍ଧ ସମୟରେ ରୁଷିଆ ସୈନିକମାନେ ୟୁକ୍ରେନର ବୁଚାଠାରେ ଲକ୍ଷ ଲକ୍ଷ ନିରୀହ ନାଗରିକଙ୍କୁ ଗୁଳି ଚଳାଇଥିଲେ। ତେବେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ରୁଷିଆ କୌଣସି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଏହି ଘଟଣାକୁ ନେଇ ପାଶ୍ଚାତ୍ୟ ଦେଶଗୁଡିକ ଏହି ବିବ୍ରତ ଚିତ୍ରଗୁଡ଼ିକ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଏହି ଚିତ୍ର ସାମ୍ନାକୁ ଆସିବା ପରେ ଜର୍ମାନୀ ସମେତ ଅନ୍ୟାନ୍ୟ ଦେଶ ରୁଷିଆ ଉପରେ ପ୍ରତିବନ୍ଧକକୁ କଡାକଡି କରିବାକୁ କହିଛନ୍ତି।
ସୂଚନାଯୋଗ୍ୟ, ବୁଚା ସହର ରୁଷିଆ ସୈନ୍ୟଙ୍କ କବଜାରେ ଥିଲା। ଏବେ ୟୁକ୍ରେନ ଏହାକୁ ପୁଣି ନିଜ ଅକ୍ତିଆରକୁ ନେଇଛି। ରୁଷିଆ ସୈନ୍ୟ ଏଠାରୁ ଯିବା ପରେ ଶହଶହ ସାଧାରଣ ଲୋକଙ୍କ ମୃତଦେହ ମିଳିଥିବା ୟୁକ୍ରେନ ପ୍ରଶାସନ ଦାବି କରିଛି।