Categories: ଜାତୀୟ

ଝୁଲା ଆଶଙ୍କାରେ ଘୋଡ଼ାବେପାର

ନୂଆଦିଲ୍ଲୀ,୧୦।୩: ଗୋଆ ଏବଂ ଉତ୍ତରାଖଣ୍ଡରେ କୌଣସି ଦଳ ସପକ୍ଷରେ ସ୍ପଷ୍ଟ ବହୁମତ ଯାଉ ନ ଥିବା ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ଭବିଷ୍ୟବାଣୀ କରାଯାଇଥିବାରୁ ଉଭୟ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଗଠନ ଲାଗି ରାଜନୀତି ସକ୍ରିୟ ହୋଇଉଠିଛି। ଗୋଆରେ କଂଗ୍ରେସ ଏହାର ସମସ୍ତ ୩୭ ପ୍ରାର୍ଥୀଙ୍କୁ ଏକ ରିସୋର୍ଟରେ ଲୁଚାଇ ରଖିଥିବାବେଳେ ସରକାର ଗଠନ ନେଇ ଏମ୍‌ଜିପି, ଟିଏମ୍‌ସି, ଏନ୍‌ସିପି ଏବଂ ଏଏପି ଆଦି ଛୋଟ ଦଳ ସହ ମେଣ୍ଟ ଗଠନ ନେଇ ଆଲୋଚନା ଚଳାଇଛି।
ଗୋଆରେ ଭାଜପାର ପରାଜୟ ଆଶଙ୍କା କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଘୋଡାବେପାରରେ ଲିପ୍ତ ରହିଛନ୍ତି। ସେ ଆମ ସଦସ୍ୟମାନଙ୍କୁ କିଣି ନିଜ ପଟକୁ ନେବା ଲାଗି ଉଦ୍ୟମ ଚଳାଇଛନ୍ତି। ଯାହାକୁ ଆମେ ସଫଳ ହେବାକୁ ଦେବୁ ନାହିଁ ବୋଲି କଂଗ୍ରେସ ନେତା ଆଇଭନ ଡି’ସୁଜା ବୁଧବାର ସମାଲୋଚନା କରିଛନ୍ତି।
ଭାଜପାର ବିଦାୟୀ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ସାକ୍ଷାତ କରି ବିଭିନ୍ନ ଆସନରେ ଦଳର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଗୋଆରେ ଭାଜପା ସରକାର ଗଢ଼ିବ ବୋଲି ମୋଦିଙ୍କୁ ଭେଟିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି। ପରେ ସାଓ୍ବନ୍ତ, ଭାଜପା ରାଜ୍ୟ ସଭାପତି ସଦାନନ୍ଦ ଶେଟ୍‌ ତନାଭାଦେ ଏବଂ ଦଳର ଗୋଆ ନିର୍ବାଚନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡ୍‌ନବିସ୍‌ ଏକ ବୈଠକରେ ଏକାଠି ହୋଇ ପରବର୍ତ୍ତୀ ସରକାର ଗଠନ ନେଇ ଆଲୋଚନା କରିଥିଲେ। ତେବେ ଗୋଆରେ ଝୁଲା ବିଧାନସଭା ହେଲେ ସାଓ୍ବନ୍ତଙ୍କୁ ସରକାର ଗଢ଼ିବା କଷ୍ଟକର ହୋଇପାରେ। କାରଣ ତାଙ୍କୁ ସହଯୋଗୀ ଏମ୍‌ଜିପି ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବା ଏହାର ନେତା ରାମକ୍ରିଷ୍ଣା ସୁଦିନ ଧାବଲିକର କହିଛନ୍ତି। ଫଡ୍‌ନବିସ ମଧ୍ୟ ଧାବଲିକରଙ୍କ ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ଆଲୋଚନା କରିଛନ୍ତି। ଫଳାଫଳ ବାହାରିବା ପରେ ନିଷ୍ପତ୍ତି ନେବେ ବୋଲି ଏମ୍‌ଜିପି ନେତା କହିଛନ୍ତି। ସେହିପରି ଜିତିବା ସମ୍ଭାବନା ଥିବା କେତେଜଣ ସ୍ବାଧୀନ ପ୍ରାର୍ଥୀଙ୍କ ସହ ମଧ୍ୟ ଭାଜପା ଆଲୋଚନା ଚଳାଇଛି।
ସେହିପରି ଉତ୍ତରାଖଣ୍ଡରେ କଂଗ୍ରେସ କିମ୍ବା ଭାଜପା କେହି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବେ ନାହିଁ ବୋଲି ଏକ୍‌ଜିଟ୍‌ ପୋଲ୍‌ରେ କୁହାଯାଇଥିବାରୁ ସେଠାରେ ମଧ୍ୟ ରାଜନୈତିକ ତତ୍ପରତା ବୃଦ୍ଧି ପାଇଛି। ଭୋଟ ଗଣତି ପୂର୍ବରୁ ଉଭୟ ଦଳର ଶୀର୍ଷନେତାମାନେ ଉତ୍ତରାଖଣ୍ଡରେ ପହଞ୍ଚତ୍ ସମ୍ଭାବ୍ୟ ସ୍ଥିତିର ପରିଚାଳନା ଲାଗି ଉଦ୍ୟମ ଚଳାଇଛନ୍ତି। ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ବରିଷ୍ଠ ନେତାମାନେ ତ୍ୱରିତ୍‌ ନିଷ୍ପତ୍ତି ନେବେ। ଏଥିପାଇଁ ବରିଷ୍ଠ ଭାଜପା ନେତା କୈଳାସ ବିଜୟ ଭର୍ଗୀୟ ରବିବାରଠାରୁ ସେଠାରେ ପହଞ୍ଚତ୍ଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କୌଣସି ପ୍ରକାର ରାଜନୈତିକ ଆବଶ୍ୟକତାକୁ ନେଇ ଅଙ୍କକଷା ଚଳାଇଛନ୍ତି। ସେହିପରି କଂଗ୍ରେସ ମଙ୍ଗଳବାର ଏହାର ରାଜ୍ୟ ସଭା ସଦସ୍ୟ ଦୀପେନ୍ଦ୍ର ହୁଡ଼ାଙ୍କୁ ଡେରାଡୁନ୍‌ ପଠାଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଖୁବ୍‌ଶୀଘ୍ର ଉତ୍ତରାଖଣ୍ଡରେ ପହଞ୍ଚତ୍ବେ ବୋଲି ଜଣାପଡ଼ିଛି।

Share