ସଚେତନ କରୁନି ଉଦ୍ୟାନ ବିଭାଗ

ନୟାଗଡ଼,୧୮।୯(ଲୋକନାଥ ମିଶ୍ର): ଉଦ୍ୟାନ କୃଷି ବିଭାଗ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଛି। ହେଲେ ସଚେତନତା ଅଭାବରୁ ଚାଷୀ ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମ ଜାଣି ପାରୁନି। ଉଦ୍ୟାନ ବିଭାଗ ପକ୍ଷରୁ ମଧ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଯାଉ ନ ଥିବା ଅଭିଯୋଗ ହୋଇଛି। ହେଲେ ଏଥିପାଇଁ କୌଣସି ପଦକ୍ଷେପ ନାହିଁ।
ଉଦ୍ୟାନ ବିଭାଗ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉଦ୍ୟାନ କୃଷି ମିଶନ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ରାଜ୍ୟ ଯୋଜନା, ରାଜ୍ୟ ଯୋଜନାରେ ଖରିଫ କାର୍ଯ୍ୟକ୍ରମ ଓ ରବି କାର୍ଯ୍ୟକ୍ରମ, ରାଜ୍ୟ ଯୋଜନାରେ ଜଳବାୟୁ ଉପଯୋଗୀ ସ୍ବତନ୍ତ୍ର ଫଳ ବଗିଚା ପ୍ରତିଷ୍ଠା ଯୋଜନା, ଫସଲ ଅମଳ ପରବର୍ତ୍ତୀ ଯନତ୍ ଏବଂ ବ୍ୟବସାୟ ସହାୟତା, ଫୁଲ ମିଶନ ଓ ଛତୁ ମିଶନ ବ୍ୟବସ୍ଥା ରହିଛି । ଛତୁ ମିଶନରେ ୧୫ ଲକ୍ଷ ଟଙ୍କାର ୩୦ ମେଟ୍ରିକ ଟନ ବିଶିଷ୍ଟ ଏକ ଶୀତଳଭଣ୍ଡାର ନୟାଗଡ଼ ଜିଲାରେ ସ୍ଥାପନ ପାଇଁ ସରକାର ସବ୍‌ସିଡି ଦେଉଛନ୍ତି। ଏହା କଲେ ଚାଷୀ ୫୫ ପ୍ରତିଶତ ସବ୍‌ସିଡି ପାଇବାର ରହିଛି । ହେଲେ ସରକାରୀ ଯୋଜନା ସମ୍ପର୍କରେ ଚାଷୀ ଅବଗତ ନ ଥିବାରୁ କେହି ଆବେଦନ କରୁ ନାହାନ୍ତି। ଫଳରେ ଜିଲାରେ ସରକାରୀ ଅନୁଦାନ ଫେରି ଯିବାର ସମ୍ଭାବନା ରହିଛି। ରାଜ୍ୟ ଯୋଜନାର ରବି କାର୍ଯ୍ୟକ୍ରମରେ ୩୦୦ ହେକ୍ଟର ଆଳୁ ଚାଷ ପାଇଁ ୧୭୪ ଲକ୍ଷ, ପିଆଜ ଚାଷ ୧୦୦ ହେକ୍ଟର ପାଇଁ ୫୮ ଲକ୍ଷ, ରସୁଣ ଚାଷ ୫୦ ହେକ୍ଟର ପାଇଁ ୪୧ ଲକ୍ଷ, ଲଙ୍କା ଚାଷ ୨୦୦ ହେକ୍ଟର ପାଇଁ ୫୬ ଲକ୍ଷ, ଧନିଆ ଚାଷ ୧୫୦ ହେକ୍ଟର ପାଇଁ ୩୦ ଲକ୍ଷ, ମେଥି ଚାଷ ୧୦୦ ହେକ୍ଟର ପାଇଁ ୨୦ ଲକ୍ଷ, ଶଙ୍କର ପନିପରିବା ଚାଷ ୧୦୦ ହେକ୍ଟର ପାଇଁ ୨୦ ଲକ୍ଷ ଅନୁଦାନ ଆସିଛି । ପୁଣି ଫୁଲ ମିଶନରେ ଗେଣ୍ଡୁ ଫୁଲ ଚାଷ ପାଇଁ ୪୦ ହେକ୍ଟର ପାଇଁ ୬ ଲକ୍ଷ, ୧୦ ହେକ୍ଟର ପାଇଁ ୪୦ ହଜାର, ପ୍ୟାକିଂ ଗୃହ ପାଇଁ ୨.୪୦ ଲକ୍ଷ ଟଙ୍କା ଅନୁଦାନ ଆସିଛି । ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ସ୍ବୟଂ ସହାୟିକା ଗୋଷ୍ଠୀ ଏହାର ଫାଇଦା ନେଇ ପାରିବ। ତେବେ ଚାଷୀ କେଉଁଥି ପାଇଁ ଉଦ୍ୟାନ ଚାଷକୁ ଆପଣେଇ ପାରୁନି ତାର ସମୀକ୍ଷା ହେଉନି। ଏନେଇ ଭାପୁରର ଚାଷୀ ସପନି ନାୟକ କୁହନ୍ତି, ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମ କିଛି ଅଣଚାଷୀ ଫାଇଦା ନେଉଛନ୍ତି। ଚାଷୀ ଧାନ, ବିରି, ମୁଗ ପରି ଚାଷ ବିଷୟରେ ସଚେତନ ହୋଇ ପାରୁନି। ଦଶପଲ୍ଲାର ଚାଷୀ ସୁଷମା ପ୍ରଧାନ କୁହନ୍ତି, କେତେଜଣ ଲୋକ କଦଳୀ, ରସୁଣ, ଲଙ୍କା, ଧନିଆ ଓ ମେଥି ଚାଷ ପରି ଚାଷ ଉଦ୍ୟାନ ବିଭାଗ ପକ୍ଷରୁ କରୁଛନ୍ତି। ତେବେ ସେମାନେ ଅନ୍ୟମାନଙ୍କୁ ଏହି ଚାଷ କିପରି କରାଯାଇପାରିବ ସେନେଇ କହୁ ନାହାନ୍ତି ।
ଉଦ୍ୟାନ ବିଭାଗର କର୍ମଚାରୀ କେଉଁଠି ରୁହନ୍ତି, ସେମାନଙ୍କ କାର୍ଯ୍ୟାଳୟ କେଉଁଠି ଅନେକ ଜାଣନ୍ତି ନାହିଁ। ପୁଣି ଠିକଣା ଖୋଜି ଅଫିସକୁ ଦୌଡିଲେ ବାବୁଙ୍କ ଭେଟ ହୁଏ ନାହିଁ। ଏଣୁ ଆମ ଜିଲାରେ ଉଦ୍ୟାନ ଚାଷ ଆଗେଇ ପାରୁନି।
ନୂଆଗାଁର ଚାଷୀ ରାମଚନ୍ଦ୍ର ସ୍ବାଇଁ ଓ ନୟାଗଡ଼ର ଅଲେଖ ସାହୁ କୁହନ୍ତି, ଉଦ୍ୟାନ ବିଭାଗ କ’ଣ, ଚାଷୀଙ୍କ ପାଇଁ ଏହା କି ପ୍ରକାରର କାମରେ ଲାଗି ପାରିବ ସେନେଇ ସଚେତନତାର ଆବଶ୍ୟକତା ରହିଛି । ଉଦ୍ୟାନ ବିଭାଗର କାର୍ଯ୍ୟକ୍ରମକୁ ବ୍ଳକ, ପଞ୍ଚାୟତ ଓ ଗାଁସ୍ତରରେ ଚାଷୀଙ୍କୁ ସାମିଲ କରି ବୁଝାଇବାକୁ ପଡିବ।
ନ ହେଲେ ଅଣଚାଷୀ ବିଭାଗୀୟ ଅଧିକାରୀଙ୍କୁ ଧରାଧରି କରି ଫାଇଦା ମାରି ଚାଲିଥିବେ। ଉଦ୍ୟାନ ବିଭାଗ ସେମାନଙ୍କୁ ଚାଷୀ ଦେଖାଇ ଉଭୟ ସରକାରୀ ଅନୁଦାନକୁ ମିଳିମଶି ଚଳୁ କରି ଚାଲିଥିବେ। ଉଦ୍ୟାନ ବିଭାଗର କାର୍ଯ୍ୟର ସମୀକ୍ଷା ହେବା ଦରକାର। ଜିଲାପାଳ ଅଚାନକ ପରିଦର୍ଶନ କରିବା ଦରକାର। ଜିଲା ପରିଷଦ ସଭ୍ୟମାନେ ଏହି ଯୋଜନା ଉପରେ ଅଧିକ ଫୋକସ ଦେବା ଦରକାର ବୋଲି କହିଛନ୍ତି।
ଏନେଇ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଲଳିତ କୁମାର ପଣ୍ଡା କୁହନ୍ତି, ଉଦ୍ୟାନ କୃଷିକୁ ଚାଷୀଙ୍କ ପାଖେରେ ପହଞ୍ଚାଇବାକୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ଜିଲାରେ ଗୋଟିଏ ଶୀତଳ ଭଣ୍ଡାର ଅଛି।
ଆଉ ଗୋଟିଏ ୩୦ ମେଟ୍ରିକ ଟନର ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ପ୍ରୟାସ ଚାଲିଛି। ଚାଷୀ ଆଗ୍ରହ ପ୍ରକାଶ କଲେ ଆମେ ଏହାକୁ ପ୍ରତିଷ୍ଠା କରିବାକୁ ଆଗ୍ରହୀ ଅଛୁ ବୋଲି କହିଛନ୍ତି ।